ସବୁ ହସ୍ପିଟାଲରେ ରହିବ କୋଭିଡ୍‌ ହେଲ୍ପ ଡେସ୍କ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟର ସମସ୍ତ ସରାକରୀ ଓ ଘରୋଇ ହସ୍ପିଟାଲରେ କୋଭିଡ୍‌ ହେଲ୍ପ ଡେସ୍କ ରହିବ। ଚିକିତ୍ସିତ ହେଉଥିବା କୋଭିଡ୍‌ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପରିବାର ଲୋକେ ପଚାରି ବୁଝିପାରିବେ। ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଅନେକ ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ନିର୍ଦ୍ଦେଶ ଅନୁସାରେ, ହସ୍ପିଟାଲଗୁଡ଼ିକ କୋଭିଡ୍‌ ହେଲ୍ପ ଡେସ୍କକୁ ୨୪ଘଣ୍ଟିଆ କାର୍ଯ୍ୟକ୍ଷମ କରିବେ। ଉକ୍ତ ହେଲ୍ପ ଡେସ୍କର ସ୍ବତନ୍ତ୍ର ଟୋଲ୍‌ ଫ୍ରି ନମ୍ବର ରହିବ। ତାହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅତିରିକ୍ତ ଡିଏମ୍‌ଇଟି ଡା. ଉମାକାନ୍ତ ଶତପଥୀଙ୍କୁ ଜଣାଇବେ। ସମସ୍ତ କୋଭିଡ୍‌ ହେଲ୍ପଡେସ୍କ ନମ୍ବରକୁ ସାଧାରଣରେ ବହୁଳ ଭାବେ ପ୍ରସାର କରିବା ପାଇଁ କୁହାଯାଇଛି। ଆସୁଥିବା ସମସ୍ତ କଲ୍‌କୁ ଉଠାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ହେଲ୍ପ ଡେସ୍କରେ ସିଫ୍ଟ କରି କର୍ମଚାରୀ ନିୟୋଜିତ କରିବେ। କେବଳ ବାର୍ତ୍ତାଳପ ନୁହେଁ, ସୋସିଆଲ ମିଡିଆ ଯେପରି କି ହ୍ବାଟ୍‌ସ ଆପ୍‌ରେ ରୋଗୀର ସ୍ବର ଓ ଫଟୋ ତାଙ୍କ ଘର ଲୋକଙ୍କୁ ପଠାଇବେ। ସେହିପରି ଏକ କନଫରେନ୍ସିଂ ରୁମ୍‌ ଉତ୍ସର୍ଗୀକୃତ କରାଯିବା ଉଚିତ। ଯେଉଁଠାରେ ଟିଭି ଓ କ୍ୟାମେରା ଲଗାଯିବ। ସେଠାରୁ ମଧ୍ୟ ରୋଗୀଙ୍କୁ ପରିବାର ଲୋକେ କିମ୍ବା ସମ୍ପର୍କୀୟ ଦେଖିପାରିବେ ଓ ତାଙ୍କ ସହିତ କଥା ହୋଇପାରିବେ। ସେହିପରି ଯେକୌଣସି କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାବେଳେ ସେମାନଙ୍କ ପରିବାରବର୍ଗଙ୍କ ଫୋନ୍‌ ନମ୍ବର ରଖାଯିବ। ସେହି ନମ୍ବରରେ ଦିନକୁ ଅତି କମ୍‌ରେ ଥରେ ଏସ୍‌ଏମ୍‌ଏସ୍‌ କିମ୍ବା ହ୍ବାଟ୍‌ସ ଆପ୍‌ରେ ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେବେ। ହସ୍ପିଟାଲ କର୍ତ୍ତୃପକ୍ଷ ସପ୍ତାହକ ମଧ୍ୟରେ ହେଲ୍ପ ଡେସ୍କ କରି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇବେ। ଯଦି ହେଳ୍ପ ଡେସ୍କରେ ସହଯୋଗ ନ କରୁଥିବା ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରଯାଇଛି।