ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସମେତ ସମସ୍ତ ବିଭାଗ ତତ୍ପର ହୋଇପଡ଼ିଛନ୍ତି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜସ୍ବ, ଜଳସମ୍ପଦ, ବ୍ଲକ, ପୋଲିସ, ସ୍ବାସ୍ଥ୍ୟ ,ଦମକଳ ଓ ମ୍ୟୁନିସିପାଲିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଦିନରାତି ଏକ କରି କାର୍ଯ୍ୟ କରୁଥିବା ବେଳେ ସାଧାରଣ ଲୋକ, ଲୋକ ପ୍ରତିନିଧିଙ୍କ ସହଯୋଗ ମଧ୍ୟ ପ୍ରଶାସନକୁ ମିଳୁଛି। ଉପଜିଲାପାଳ ଉମାଶଙ୍କର ବେହେରା ନିୟମିତ ବ୍ୟବଧାନରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଏଥିସହ ଉପଜିଲାପାଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।
ଏପଟେ ଜଳସମ୍ପଦ ବିଭାଗ ମଧ୍ୟ ସତର୍କ ରହିଛି। ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ନେତୃତ୍ୱରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ତା, ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପି ଭେଙ୍କେଟସ୍ ଅନ୍ୟ ଯନ୍ତ୍ରୀମାନେ ଡ୍ୟାମ, ନଦୀ, ନାଳ ଓ ବିଭିନ୍ନ ସେତୁ ଉପରେ ନଜର ରଖିବା ସହ ପଇଁତରା ମାରୁଛନ୍ତି। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଭଞ୍ଜନଗର, ଡହ ଓ ବାଘୁଆ ଜଳଭଣ୍ଡାରରୁ ପାଣି ଛାଡ଼ିବା ବନ୍ଦ କରାଯାଇଛି। ଭଞ୍ଜନଗର ଜଳଭଣ୍ଡାରରେ ୭୩ ପ୍ରତିଶତ, ଡହରେ ୪୦ ପ୍ରତିଶତ ଓ ବାଘୁଆରେ ୫୦ ପ୍ରତିଶତ ଜଳ ମହଜୁଦ ରହିଛି। ସୋରଡ଼ା ଜଳଭଣ୍ଡାରରେ ୮୦ ପ୍ରତିଶତ ଜଳ ଥିବାରୁ ଏହାକୁ ଆହୁରି କମାଇବା ପାଇଁ ସୋରଡ଼ା କେନାଲ ମାଧ୍ୟମରେ ପାଣି ଛଡ଼ାଯାଉଛି। ବର୍ଷା ଯଦି ମଧ୍ୟ ନ ହେବ ରବି ଫସଲ ପାଇଁ ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜଳଭଣ୍ଡାରଗୁଡ଼ିକର ଫାଟକ ବନ୍ଦ ରଖାଯାଇଛି। ଆଗକୁ ବର୍ଷାର ପରିମାଣ ଅଧିକ ହେଲେ ଆବଶ୍ୟକତା ଅନୁଯାୟୀ ନଦୀ ଓ କେନାଲ ମାଧ୍ୟମରେ ପାଣି ଛଡ଼ାଯିବ। ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଗଞ୍ଜାମ ଜିଲାରେ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ସତର୍କତା ଓ ପଦକ୍ଷେପ ଗ୍ରହଣ କରାଯାଇଛି।
ଅନ୍ୟପକ୍ଷରେ, ବାତ୍ୟା ସମୟରେ ଓ ପରବର୍ତ୍ତୀ ଅବସ୍ଥାରେ ଫସଲ ଓ ପ୍ରାଣୀ ସମ୍ପଦର ଯତ୍ନ ନେବାକୁ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକର ସାରଙ୍ଗପଟା ଓ ନଡ଼ା ଗ୍ରାମରେ ଚାଷୀଙ୍କୁ ସଚେତନ କରାଯାଇଛି। ୧୮ ଓ ୧୯ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳକ ଚାଷୀଙ୍କୁ ଆଶୁ ଚିକିତ୍ସା ପାଇଁ ତୁଳା, ଗଜ କପଡ଼ା, ଜ୍ୱର ଔଷଧ, କ୍ଷତ ମଲମ ଓ ଭିଟାମିନ ବଟିକା ଆଦି ବିତରଣ କରାଯାଇଥିଲା। ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ବୁଝାଇବା ସହ ବାତ୍ୟା ସମୟରେ ପ୍ରାଣୀଙ୍କୁ ସୁରକ୍ଷିତ ରଖିବା ଓ ପରବର୍ତ୍ତୀ ସମୟରେ ଯତ୍ନ ନେବା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ସିଦ୍ଧାର୍ଥ ରଣବିଜୁଳିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।