ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ ଅନ୍ୟ ଦୁଇ ସହଯୋଗୀ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏପରି କି ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ମୃତକଙ୍କ ମୁହଁ ପୋଡିଦେଇଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବୁର୍ଲା ଥାନା ଗେଟ କଲୋନୀର ଶରତ ଜେନା (୩୫)। ମାଲିକାନା ଜାହିରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ପୋଲିସ ଘଟଣାସ୍ଥଳରୁ ରକ୍ତାଭିଜା କୁରାଢ଼ି ଜବତ ସହ ରକ୍ତ ନମୁନା ସଂଗ୍ରହ କରିଛି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୩୪୬/୨୧) ରୁଜୁ ହୋଇଛି। ଘଟଣାସ୍ଥଳରେ ବୁର୍ଲା ଥାନା ଅଧିକାରୀ କମଳଲୋଚନ ପଣ୍ଡା, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ଢ଼ାବାରେ କାର୍ଯ୍ୟରତ ବରଗଡ ଜିଲା ବରାହଗୁଡାର ମୁନା ନନ୍ଦ ଓ ସୁରୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ବୁର୍ଲା ଥାନାଧିକାରୀ ପଣ୍ଡା କହିଛନ୍ତି, ପଞ୍ଚମୁଖି ଢ଼ାବାରେ ମୁନା, ସୁରୁ ଓ ଶରତ କାମ କରୁଥିଲେ। ଲକଡାଉନ ଜାରି ରହିଥିବାରୁ ଢ଼ାବାରେ ଠିକ୍‌ ଭାବେ ବ୍ୟବସାୟ ହେଉ ନ ଥିଲା। ମାଲିକଙ୍କ ଦେହ ଅସୁସ୍ଥ ହେବାରୁ ସେ ମଧ୍ୟ ନିୟମିତ ଆସିପାରୁ ନ ଥିଲେ। ବୁଧବାର ରାତିରେ ୩ଜଣ ଏକାଠି ଦେଶୀ ଓ ବିଦେଶୀ ମଦ ପିଇଥିଲେ। ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଶରତଙ୍କୁ ଅଧିକ ନିଶା ହୋଇଥିଲା। ଏହାର ସୁଯୋଗ ନେଇ ମୁନା ଓ ସୁରୁ ତାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଶରତଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।