ଭୁବନେଶ୍ୱର,୧୮ା୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ରାଜ୍ୟର ୧୦ ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି ।
ରାଜ୍ୟ ଆପାତକାଳୀନ ଅପରେସନ୍ ସେଣ୍ଟର (SEOC)ଠାରେ ଏହି ବରିଷ୍ଠ ଅଧିକାରୀମାନେ ପାଳି କରି ଦାୟିତ୍ୱ ନିର୍ବାହ କରିବେ । ଏହି ଦାୟିତ୍ୱରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ, ଡ. ଅରବିନ୍ଦ କୁମାର ପାଢ଼ୀ, ହେମନ୍ତ ଶର୍ମା, ବିଶାଳ କୁମାର ଦେବ, ଉଷା ପାଢ଼ୀ, ଚିତ୍ରା ଅରୁମୁଗମ୍, ସଞ୍ଜୟ ସିଂହ, ସଞ୍ଜୀବ ମିଶ୍ର, ସୁରେଶ କୁମାର ବଶିଷ୍ଠ ଏବଂ ଭାସ୍କର ଜ୍ୟୋତି ଶର୍ମାଙ୍କୁ ନିୟୋଜିତ କରାଯାଇଛି ।
ଏହି ଅଧିକାରୀମାନେ ମୁଖ୍ୟତଃ ବିଭିନ୍ନ ଜିଲା ଓ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, ସ୍ଥିତିର ନିରନ୍ତର ମନିଟରିଂ ଏବଂ ସୁଗମ ପରିଚାଳନା କାର୍ଯ୍ୟ ତଦାରଖ କରିବେ । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ସମାଧାନ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ SEOC କଣ୍ଟ୍ରୋଲ୍ ରୁମ୍କୁ ସମ୍ପୂର୍ଣ୍ଣ ଭାବେ ସଜାଗ ରଖାଯାଇଛି।