ଭୀମ ପୃଷ୍ଟିଙ୍କୁ ଅକ୍ଷୟ ସାହିତ୍ୟ, ବିଚିତ୍ରାନନ୍ଦ ଦେଓଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଥିଲେ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି। ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ। ସ୍ବର୍ଗତ ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ଅବସରରେ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି, ଓଡ଼ିଶା ସିନେକ୍ରିଏଟିକ୍‌ ଆଶୋସିଏଶନ୍‌ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ଅକ୍ଷୟ ସଙ୍ଗୀତ ଓ ସମ୍ମାନ ଉତ୍ସବ-୨୦୨୨ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ। ଉତ୍ସବରେ ଗାଳ୍ପିକ ଭୀମ ପୃଷ୍ଟିଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନ ଓ ଇଞ୍ଜିନିୟର ବିଚିତ୍ରାନନ୍ଦ ଦେଓଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାଦମ୍ବିନୀ ମିଡିଆ ପକ୍ଷରୁ ଡ. ଇତି ସାମନ୍ତଙ୍କ ସମ୍ପାଦନରେ ପ୍ରକାଶିତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଆଧାରିତ ସଂକଳନ ଅମର ଅକ୍ଷୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସାମ୍ବାଦିକ ପ୍ରଦୋଷ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଦିଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ। ସାରେ କଣ୍ଠଶିଳ୍ପୀ ବିଚିତ୍ରାନନ୍ଦ ଦେଓ, ସୌରଭ ନାୟକ, ଛନ୍ଦା ମିଶ୍ର, ଶୈଳଭାମା ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ଯଶସ୍ବିନୀ, ସଞ୍ଜୟ ମିଶ୍ର ପ୍ରମୁଖଙ୍କ ସଙ୍ଗୀତରେ ଶ୍ରୋତାମାନେ ଝୁମି ଉଠିଥିଲେ। କାର୍ଯ୍ୟକ୍ରମକୁ ଅବନ୍ତୀକାନ୍ତ ଦାସ ପରିଚଳାନା କରିଥିବା ବେଳେ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ। ରବି ବିଶ୍ୱାଳ, ଲିଟୁ ମହାନ୍ତି, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗ କରିଥିଲେ।