୭୦ କି.ମି ଦୂରରୁ ଶତ୍ରୁକୁ ଧ୍ୱଂସ କରିବ ‘ଆକାଶ ଏନ୍‌ଜି’

ବାଲେଶ୍ୱର ଅଫିସ, ୨୧।୭: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ନଂ. ଲଞ୍ଚପ୍ୟାଡରୁ ବୁଧବାର ମଧ୍ୟାହ୍ନ ୧୨ଟା ୪୪ ମିନିଟ୍‌ରେ ଆକାଶ କ୍ଷେପଣାସ୍ତ୍ରର ନ୍ୟୁ ଭର୍ଶନ୍‌ ‘ଆକାଶ ଏନ୍‌ଜି’ର ଉତ୍‌କ୍ଷେପଣ କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ମଧ୍ୟମ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ୭୦ କି.ମି ଦୁରରୁ ଶତ୍ରୁକୁ ଧ୍ୱଂସ କରିପାରିବ। ପରୀକ୍ଷାରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ପୂର୍ବରୁ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦କି.ମି. ରହିଥିଲା। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇପାରିବ।

ଆକାଶ ଏନ୍‌ଜି କ୍ଷେପଣାସ୍ତ୍ରକୁ ପ୍ରଥମଥର ପାଇଁ ଚଳିତ ବର୍ଷ ଜାନୁୟାରୀ ୨୫ତାରିଖରେ ଏବଂ ଦ୍ୱିତୀୟଥର ମାର୍ଚ୍ଚ ୨୩ତାରିଖ ପରୀକ୍ଷା କରାଯାଇଥିଲା। ପ୍ରତ୍ୟେକ ପରୀକ୍ଷା(ସମୁଦାୟ ୩ଥର)ରେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି। ୨୦୨୩ ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଡିଆରଡ଼ିଓ ପକ୍ଷରୁ ସୂଚନା ମିଳିଛି।