ମୁମ୍ବାଇ,୨୯।୧: ମହାରାଷ୍ଟ୍ରର ପୁଣେ ଜିଲାର ବାରାମତିର ବିଦ୍ୟା ପ୍ରତିଷ୍ଠାନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ବାରାମତି ବିମାନବନ୍ଦର ନିକଟରେ ରନୱେରୁ ମାତ୍ର ୨୦୦ ମିଟର ଦୂରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଜିତଙ୍କ ମୃତ୍ୟୁ ହୋଇଥିଲା। ପାୱାରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ କରାଯାଇଛି। ପାୱାରଙ୍କ ଅନ୍ତିମ ସଂସ୍କାର ସମୟରେ “ଅଜିତ ଦାଦା ଅମର ରହେ” ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ବିଦ୍ୟା ପ୍ରତିଷ୍ଠାନରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ, ପାୱାରଙ୍କ ପୁଅ ପାର୍ଥ ଏବଂ ଜୟ ମୁଖାଗ୍ନି ଦେଇଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍ଭିସ ତାଙ୍କର ଶେଷ ଦର୍ଶନ କରି ତାଙ୍କର ପ୍ରିୟ ବନ୍ଧୁ ଏବଂ କ୍ୟାବିନେଟ ସହଯୋଗୀ ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦେବେନ୍ଦ୍ର ଫଡନ୍ଭିସ ଏବଂ ଅଜିତ ପାୱାର ବହୁତ ଘନିଷ୍ଠ ବନ୍ଧୁ ଥିଲେ ଏବଂ ସର୍ବଦା ଆବଶ୍ୟକତା ସମୟରେ ପରସ୍ପର ସହିତ ଠିଆ ହୋଇଆସୁଥିଲେ।
ସୂଚନା ଯୋଗ୍ୟ, ଅଜିତ ପାଓ୍ବାର ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ବାରାମତିରେ ତାଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୁଧବାର ପୋଲିସ ଏହି ମାମଲାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ADR) ଦାଖଲ କରିଛି। ପ୍ରକ୍ରିୟା ଅନୁଯାୟୀ, ADR କୁ ମହାରାଷ୍ଟ୍ର ଅପରାଧ ତଦନ୍ତ ବିଭାଗ (CID) କୁ ହସ୍ତାନ୍ତର କରାଯିବ, ଯାହା ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ତଥ୍ୟ ଆଧାରରେ ତଦନ୍ତ କରିବ।

