ମାଛ ଖାଇ ଚମକୁଛନ୍ତି ଐଶ୍ୱର୍ଯ୍ୟା, ଏପରି ମନ୍ତବ୍ୟ ଦେଇ ବିବାଦରେ ବିଜୟ କୁମାର

ମୁମ୍ବାଇ,୨୧ା୮: ମହାରାଷ୍ଟ୍ରର ସିନ୍ଦେ ସରକାରରେ ଜଣେ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ସିନ୍ଦେ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଡକ୍ଟର ବିଜୟ କୁମାର କହିଛନ୍ତି, ମାଛ ଖାଇବା ଦ୍ୱାରା ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଆଖି ଉଜ୍ଜ୍ୱଳ ଏବଂ ଚର୍ମ ସୁନ୍ଦର ଦେଖାଯାଏ। ମନ୍ତ୍ରୀ କହିଛନ୍ତି, ଲୋକମାନେ ମାଛ ଖାଇବା ଉଚିତ। ମାଛ ଖାଇବା ଦ୍ୱାରା ମହିଳା ଏବଂ ପୁରୁଷଙ୍କ ଚର୍ମ ଚିକ୍କଣ ଦେଖାଯାଇଥାଏ। ଯେମିତି ଐଶ୍ୱର୍ଯ୍ୟାଙ୍କ ଆଖି ପରି। ମହାରାଷ୍ଟ୍ରର ଧୁଲେ ଜିଲାର ଆଣ୍ଟୁର୍ଲିରେ ମତ୍ସ୍ୟଜୀବୀଙ୍କୁ ସାମଗ୍ରୀ ବଣ୍ଟନ ସମୟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଦିବାସୀ ବିକାଶ ମନ୍ତ୍ରୀ ଡାକ୍ତର ବିଜୟ କୁମାର ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଥିଲେ, ଐଶ୍ୱର୍ଯ୍ୟା ରାୟଙ୍କ ଆଖି ଦେଖିଛନ୍ତି କି? ମାଙ୍ଗାଲୁରୁ ସମୁଦ୍ର କୂଳରେ ରହୁଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟାର ସୁନ୍ଦର ଏବଂ ଉଜ୍ଜ୍ୱଳ ଆଖି ରହିଛି। କାରଣ ସେ ପ୍ରତିଦିନ ମାଛ ଖାଉଛନ୍ତି।

ଏହା ଶୁଣି ଉପସ୍ଥିତ ଲୋକେ ବହୁତ ହସିଥିଲେ। ସେ କହିଛନ୍ତି, ମାଛରେ ଏକ ପ୍ରକାର ତେଲ ଅଛି। ଯେଉଁଥିପାଇଁ ଆଖି ଉଜ୍ଜ୍ୱଳ ଏବଂ ମନ ଚତୁର ଏବଂ ସୁସ୍ଥ ରହିଥାଏ। ଏହା ସହିତ ଚର୍ମ ମଧ୍ୟ ଚମକିଥାଏ। ଏଭଳି କହିବା ପରେ ମନ୍ତ୍ରୀ ବିବାଦ ଘେରକୁ ଆସିଛନ୍ତି।

Share