ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଚଣ୍ଡିଗଡ଼ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଚଣ୍ଡିଗଡ଼ରୁ ହିସାର ମଧ୍ୟରେ ବିମାନଟି ଉଡ଼ାଣ କରି ୪୫ ମିନିଟରେ ପହଞ୍ଚିଛି। ଦ୍ୱିତୀୟ ପର୍ଯ୍ୟାୟରେ ହିସାରଠାରୁ ଡେରାଡୁନ୍‌ ମଧ୍ୟରେ ଏୟାର ଟ୍ୟାକ୍ସି ସେବା ଜାନୁୟାରୀ ୧୮ଠାରୁ ଆରମ୍ଭ କରାଯିବ। ସେହିପରି ଜାନୁୟାରୀ ୨୩ରେ ତୃତୀୟ ପର୍ଯ୍ୟାୟରେ ଚଣ୍ଡିଗଡ଼ରୁ ଡେରାଡୁନ୍‌ ଏବଂ ହିସାରଠାରୁ ଧର୍ମଶାଳା ପର୍ଯ୍ୟନ୍ତ ଏୟାର ଟ୍ୟାକ୍ସି ସୁବିଧା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଏହି ସେବା ଶିମଲା, କୁଲୁ ମନାଲି ଆଦି ଅଞ୍ଚଳରେ ମଧ୍ୟ ଉପଲବ୍ଧ ହେବ। ଏୟାର ଟ୍ୟାକ୍ସିରେ ପାଇଲଟ ଏବଂ ଅନ୍ୟ ୩ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଚଣ୍ଡିଗଡ଼ରୁ ହିସାର ଯିବା ପାଇଁ ଯାତ୍ରୀଙ୍କୁ ୧,୭୫୫ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ଅନ୍‌ଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ। ଏହି ସେବା ହରିୟାଣା ଝାଜରସ୍ଥିତ ବେରି ଗାଁର ବାସିନ୍ଦା କ୍ୟାପଟେନ୍‌ ବରୁଣ ସୁହାଗଙ୍କ ଦ୍ୱାରା ଆରମ୍ଭ କରାଯାଇଛି। ଦେଶର ୨୬ଟି ଭିନ୍ନ ଭିନ୍ନ ରୁଟ୍‌ରେ ଏୟାର ଟ୍ୟାକ୍ସି ସେବା ଉପଲବ୍ଧ କରାଇବା ଲାଗି ବରୁଣ ଯୋଜନା କରିଛନ୍ତି।

Share