ମୋଦିଙ୍କୁ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟ: ସଂକଳ୍ପପତ୍ର ପାଇଁ ଅଭିମତ ସଂଗ୍ରହ ଅଭିଯାନ ଶୁଭାରମ୍ଭ

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ଭାଜପା ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବାକୁ ପ୍ରୟାସ ଆରମ୍ଭ କରିଛି। ୩ୟ ଥର ଭାଜପା କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗଳକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେନେଇ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବାକୁ ଦଳ ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରୁ ଓଡ଼ିଶାର ୨୧ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୧୪୭ ବିଧାନସଭାକୁ ୩୪ଟି ଭିଡିଓ ଭ୍ୟାନ୍‌/ପ୍ରଚାର ଗାଡ଼ିର ଶୁଭାରମ୍ଭ କରାଯାଇଛି। ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହା ପ୍ରତ୍ୟେକ ବିଧାନସଭାରେ ୨ରୁ ୩ ଦିନ ପର୍ଯ୍ୟନ୍ତ ପ୍ରାୟ ୩୦ଟି ସଭା ମାଧ୍ୟମରେ ଜନତାଙ୍କ ମତାମତ ସଂଗ୍ରହ କରିବ। ୯୦୯୦୯୦୨୦୨୪ ନମ୍ବରକୁ ମିସ୍‌ଡ୍‌ କଲ୍‌ ଏବଂ ନରେନ୍ଦ୍ର ମୋଦି ଆପ୍‌ରେ ନିଜର ଅଭିମତ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପ୍ରେରଣ କରିପାରିବ।