Categories: ଖେଳ

ପିକେଙ୍କ ଜନ୍ମଦିନରେ ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ଭାରତୀୟ ଫୁଟ୍‌ବଲ ଆଇକନ ପ୍ରଦୀପ କୁମାର ବାନାର୍ଜୀଙ୍କ ଜନ୍ମଦିନ ଜୁନ ୨୩ ତାରିଖକୁ ‘ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ’ ରୂପେ ଘୋଷଣା କରିଛି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)। ଖେଳପ୍ରେମୀଙ୍କ ନିକଟରେ ପିକେ ନାମରେ ପରିଚିତ ସ୍ବର୍ଗତ ବାନାର୍ଜୀ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ। ସେ ତାଙ୍କ ଫୁଟ୍‌ବଲ କ୍ୟାରିୟରରେ କେବଳ ଜଣେ ଖେଳାଳି ହିସାବରେ ନୁହେଁ, ଜଣେ କୋଚ୍‌ ହିସାବରେ ଉଲ୍ଲେଖନୀୟ ସଫଳତା ହାସଲ କରିିଥିଲେ। ଏକ ପ୍ରଶ୍ନର ଉତ୍ତରରେ ଏଆଇଏଫ୍‌ଏଫ୍‌ ସେକ୍ରେଟାରି ଜେନେରାଲ ଶାଜି ପ୍ରଭାକରନ କହିଛନ୍ତି, ପିକେ ବାନାର୍ଜୀଙ୍କ ଜନ୍ମଦିନକୁ ‘ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ’ ରୂପେ ପାଳନ କରାଯିବା ପଛରେ ବିଶେଷ କାରଣ ରହିଛି। ଭାରତୀୟ ଫୁଟ୍‌ବଲ ପ୍ରତି ପ୍ରଦୀପ ଦା’ଙ୍କ ଅବଦାନ ଭୁଲିବାର କଥା ନୁହେଁ। ଖେଳ ଛାଡ଼ିବା ପରେ ପରବର୍ତ୍ତୀ ୩୦ ବର୍ଷ ଜଣେ କୋଚ୍‌ ହିସାବରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଛନ୍ତି। ଟାଟା ଫୁଟ୍‌ବଲ ଏକାଡେମୀରେ ତାଙ୍କ ନେତୃତ୍ୱ ଏବଂ ଖେଳର ତୃଣମୂଳସ୍ତରରେ ତାଙ୍କ ଅବଦାନ ଆଦୌ ଭୁଲି ହେବ ନାହିଁ। ସେ ଜଣେ ଦୃଷ୍ଟାନ୍ତମୂଳକ ଫୁଟ୍‌ବଲର ଥିଲେ। ୧୯୬୨ ଏସିଆନ ଗେମ୍ସରେ ଭାରତର ଐତିହାସିକ ସ୍ବର୍ଣ୍ଣ ପଦକ ସଫଳତା ପଛରେ ତାଙ୍କର ବିଶେଷ ଭୂମିକା ରହିଥିଲା। ୧୯୬୯ରେ ଫିଫା ତରଫରୁ ପ୍ରଥମ ଥର ଜାପାନରେ ଜର୍ମାନୀ କୋଚ୍‌ ଡେଟ୍‌ମାର କ୍ରାମରଙ୍କ ତତ୍ତ୍ୱାବଧାନରେ ଏକ କୋଚିଂ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ବାନାର୍ଜୀ ଏହି ପାଠ୍ୟକ୍ରମରେ ଯୋଗ ଦେଇଥିଲେ। ସେ ପ୍ରଥମ ଶ୍ରେଣୀ ଡିଗ୍ରୀ ସହ ସେଠାରୁ ଫେରିଥିଲେ। ବାନାର୍ଜୀଙ୍କ ଫୁଟ୍‌ବଲ କୋଚିଂ କୋର୍ସ ବହୁ ବର୍ଷ ଧରି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା।

Share