ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍ସେଟ’ ଦ୍ୱାରା ପ୍ରକାଶିତ ଏକ ସ୍ବତନ୍ତ୍ର କମିଶନ ରିପୋର୍ଟରେ ଏଭଳି ଚେତାବନୀ ଦିଆଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର, ଜୈବିକ ଅସ୍ତ୍ର ଏବଂ ଭୟଙ୍କର ପରମାଣୁ ଯୁଦ୍ଧ ଯୋଗୁ ମାନବ ଜାତି ଧ୍ୱଂସମୁଖକୁ ଠେଲି ହୋଇଯାଇପାରେ ବୋଲି ୩୫ ଜଣିଆ ବିଶେଷଜ୍ଞ ଦଳ ଆଶଙ୍କା ପ୍ରକଟ କରିଛନ୍ତି। ଯଦିଓ ଏହି ବିଲୁପ୍ତ ପ୍ରକ୍ରିୟାର ଆଶଙ୍କା କମ୍, ତଥାପି ଏହା ଏକ ବାସ୍ତବ ବିପଦ ବୋଲି ରିପୋର୍ଟରେ କୁହାଯାଇଛି।
ଜର୍ମାନୀର ବର୍ଲିନଠାରେ ଆୟୋଜିତ ହେବାକୁ ଥିବା ‘ୱାଲର୍ଡ ହେଲ୍ଥ ସମିଟ୍’ ପୂର୍ବରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ମାନବ ସ୍ବାସ୍ଥ୍ୟ ପ୍ରତି ଆସିବାକୁ ଥିବା ୧୭ଟି ବଡ଼ ବିପଦ ବିଷୟରେ ଆଲୋଚନା କରାଯାଇଛି।
ମତରେ, ଯଦି କୃତ୍ରିମ ବୁଦ୍ଧିମତ୍ତା(ଏଆଇ)କୁ ଭୁଲ୍ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ତେବେ ଏହା ଅତି ସହଜରେ ମାରାତ୍ମକ ଜୈବିକ ଅସ୍ତ୍ର ତିଆରି କରିବାରେ ସାହାଯ୍ୟ କରିବ, ଯାହା କୋଟି କୋଟି ଜୀବନ ନେଇପାରେ। ସେହିପରି ପରମାଣୁ ଯୁଦ୍ଧ ହେଲେ ବାୟୁମଣ୍ଡଳକୁ ଏତେ ପରିମାଣର ଧୂଳିକଣା ଓ ପାଉଁଶ ଚାଲିଯିବ ଯେ, ଏହା ସୂର୍ଯ୍ୟକିରଣକୁ ସମ୍ପୂର୍ଣ୍ଣ ଅବରୋଧ କରିଦେବ। ଫଳରେ ସାରା ବିଶ୍ୱରେ ଦୁର୍ଭିକ୍ଷ ଦେଖାଦେବ ଏବଂ ଖାଦ୍ୟ ଅଭାବରୁ ମାନବ ସଭ୍ୟତା ଶେଷ ହୋଇଯିବ।
ଏହି ସମସ୍ତ ବିପଦ ପରସ୍ପର ସହ ଜଡ଼ିତ ବୋଲି ରିପୋର୍ଟରେ କୁହାଯାଇଛି। ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କମିଶନ୍ର ସହ-ଅଧ୍ୟକ୍ଷ କ୍ରିଷ୍ଟୋଫର ମରେ କହିଛନ୍ତି ଯେ, ପୂର୍ବରୁ କେବଳ ଯୁଦ୍ଧ, ମହାମାରୀ ଓ ଜଳବାୟୁକୁ ବଡ଼ ବିପଦ ମନେ କରାଯାଉଥିଲା, କିନ୍ତୁ ଏବେ ବିପଦର ପରିସର ବହୁତ ବଢ଼ିଯାଇଛି।
ବ୍ୟତୀତ ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ, ପିଲାଙ୍କ କୁପୋଷଣ, ମେଦବହୁଳତା, ମାନସିକ ଅବସାଦ ଓ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସାହାଯ୍ୟ ହ୍ରାସ ପାଇବା ଭଳି ସମସ୍ୟା ମଧ୍ୟ ମାନବ ସମାଜ ପାଇଁ ବଡ଼ ଆହ୍ବାନ। ଯଦି ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୮ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖାଯାଏ, ତେବେ ମାନବ ଜାତି ଅତି ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବ। ସେହିପରି ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସାହାଯ୍ୟ କମିଗଲେ ସବ୍-ସାହାରା ଆଫ୍ରିକା ଭଳି ଗରିବ ଅଞ୍ଚଳରେ ଶିଶୁ ମୃତ୍ୟୁହାର ଭୟଙ୍କର ଭାବେ ବଢ଼ିଯିବ।
ତେବେ ବିଶେଷଜ୍ଞଙ୍କ ମତରେ ଏହି ବିପଦଗୁଡ଼ିକୁ ଏବେଠାରୁ ରୋକାଯାଇପାରିବ। ବିଶ୍ୱର ସମସ୍ତ ସରକାର କେବଳ ବିପଦ ଆସିବା ପରେ ପ୍ରତିକାର ନ କରି, ଏବେଠାରୁ ବଜେଟ ବ୍ୟବସ୍ଥା କରି ଆଗୁଆ ପ୍ରସ୍ତୁତି ଓ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ। କମିଶନ ପ୍ରତିବର୍ଷ ଏହି ରିପୋର୍ଟର ସମୀକ୍ଷା କରି ନୂଆ ନୂଆ ବିପଦ ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି।