ନୂଆଦିଲ୍ଲୀ, ୧୮।୧୧: ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୫-୨୭ର ଚକ୍ର ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଫାଇନାଲରେ ପହଞ୍ଚିବା ଦୌଡ଼କୁ ନେଇ ଶୀର୍ଷ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳୁଛି। ଏହି ସମୟରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ପରେ ଆଇସିସି ଉଭୟ ଦଳକୁ ବଡ଼ ଝଟକା ଦେଇଛି। ସ୍ଲୋ ଓଭର ରେଟ ପାଇଁ ଉଭୟ ଦଳର ପଏଣ୍ଟ କାଟିଛି ଆଇସିସି।
ଏହାର ପ୍ରଭାବ ନଭେମ୍ବର ୧୯ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ ପୂର୍ବରୁ WTC ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି। ଏଥିରେ ଶ୍ରୀଲଙ୍କା ଦଳକୁ ସବୁଠାରୁ ଅଧିକ କ୍ଷତି ହୋଇଛି। ଦଳ ୭ମ ସ୍ଥାନରୁ ଖସି ୮ମ ସ୍ଥାନରେ ପହଞ୍ଚିଛି।
ରାୱଲପିଣ୍ଡି ଷ୍ଟାଡିୟମରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଡ୍ର’ ରହିଥିଲା। ମ୍ୟାଚ ଶେଷ ହେବା ପରେ ସ୍ଲୋ ଓଭର ରେଟ ପାଇଁ ଆଇସିସି ଉଭୟ ଦଳ ଉପରେ ଜରିମାନା ଲଗାଇବା ସହ WTC ୨୦୨୫-୨୭ ପଏଣ୍ଟ ଟେବୁଲର ପଏଣ୍ଟ କାଟିଛି।
ରାୱଲପିଣ୍ଡି ଟେଷ୍ଟରେ ଶ୍ରୀଲଙ୍କା ଦଳ ୧୫ ଓଭର ପଛରେ ରହିଥିବାରୁ ତା’ର ମୋଟ ୧୫ ପଏଣ୍ଟ କାଟି ଦିଆଯାଇଛି। ସେହିପରି ପାକିସ୍ତାନ ଦଳ ୫ ଓଭର ପଛରେ ରହିଥିବାରୁ ତା’ର ୫ ପଏଣ୍ଟ କଟିଛି।
ଏହାଦ୍ୱାରା ଶ୍ରୀଲଙ୍କା ୭ମ ସ୍ଥାନରୁ ଖସି ୮ମ ସ୍ଥାନରେ ପହଞ୍ଚିଛି। ଦଳର ପଏଣ୍ଟ ପ୍ରତିଶତ ୩୩.୩୩%ରୁ ହ୍ରାସ ପାଇ ୧୫.୪୭% ହୋଇଛି। ଅନ୍ୟପଟେ ପାକିସ୍ତାନ ୩.୩୩% ପଏଣ୍ଟ ପ୍ରତିଶତ ସହ ସବୁଠାରୁ ତଳେ ଅର୍ଥାତ୍ ୯ମ ସ୍ଥାନରେ ରହିଛି।
ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନସିପର ନିୟମ ଅନୁଯାୟୀ, ନିର୍ଦ୍ଧାରିତ ଓଭର ରେଟ୍ଠାରୁ ଯେତେ ଓଭର କମ ବୋଲିଂ କରାଯାଏ, ଦଳର ସେତିକି ପଏଣ୍ଟ କାଟି ଦିଆଯାଏ।
ଏହାବ୍ୟତୀତ ଉଭୟ ଦଳ ଉପରେ ଆଇସିସି କୋଡ ଅଫ କଣ୍ଡକ୍ଟ ଫର୍ ପ୍ଲେୟର୍ସ ଆଣ୍ଡ ପ୍ଲେୟର ସପୋର୍ଟ ପର୍ସନେଲର ଧାରା ୨.୨୨ ଅନୁଯାୟୀ ଜରିମାନା ଲଗାଯାଇଛି। ଏହି ନିୟମ ଅନୁସାରେ, ଯଦି କୌଣସି ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ପୂରଣ କରିପାରେ ନାହିଁ, ତେବେ ଖେଳାଳିଙ୍କ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା ଲାଗିଥାଏ। ଏହାର ସର୍ବାଧିକ ସୀମା ୫୦ ପ୍ରତିଶତ ରହିଛି। ପାକିସ୍ତାନ ଖେଳାଳିଙ୍କ ମ୍ୟାଚ ଫି’ର ୨୫ ପ୍ରତିଶତ ଏବଂ ଶ୍ରୀଲଙ୍କା ଖେଳାଳିଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ଲଗାଯାଇଛି।
WTC ୨୦୨୫-୨୭ ପଏଣ୍ଟ ଟେବୁଲରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚର ଟେଷ୍ଟ ସିରିଜ ପୂର୍ବରୁ ଉଭୟ ଦଳର ସ୍ଥିତି ଉପରେ ନଜର ପକାଇଲେ, ଟିମ ଇଣ୍ଡିଆ ଏବେ ଚତୁର୍ଥ ସ୍ଥାନରେ ରହିଛି। ଭାରତର ମୋଟ ପଏଣ୍ଟ ୬୮ ଥିବାବେଳେ ପଏଣ୍ଟ ପ୍ରତିଶତ ୫୧.୫୨ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ୫୨ ପଏଣ୍ଟ ଏବଂ ୭୨.୨୨ ପ୍ରତିଶତ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି।
ଏଭଳି ସ୍ଥିତିରେ ଆଗାମୀ ଟେଷ୍ଟ ସିରିଜ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। WTC ଫାଇନାଲ୍ରେ ପହଞ୍ଚିବା ଦୌଡ଼ରେ ନିଜ ସ୍ଥିତିକୁ ମଜଭୁତ କରିବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ଦଳ ଏହି ସିରିଜରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ।