ମୋ ବସ୍‌ ସେବା ପାଇଁ କୃଷିମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର,୨୮।୯(ବ୍ୟୁରୋ): ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ କଟକକୁ ଯିବା ଆସିବା କରିବା ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ବସ୍‌ ସେବାରେ ଅଭାବ ରହିଛି। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ବର୍ତ୍ତମାନ ଚଳାଚଳ କରୁଥିବା ମୋ ବସ୍‌ ସେବାକୁ ଉପରୋକ୍ତ ସ୍ଥାନଗୁଡ଼ିକକୁ ସମ୍ପ୍ରସାରଣ କରିବା ଆବଶ୍ୟକ। ଏଥି ନିମନ୍ତେ ମଙ୍ଗଳବାର ଲୋକସେବା ଭବନଠାରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଓ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟିର ସେକ୍ରେଟାରିଙ୍କ ସମେତ କଟକର ଉପଜିଲାପାଳ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଯୋଗଦେଇଛନ୍ତି। ବୈଠକରେ କଟକରୁ ଆଗ୍ରାହାଟ ଯାଉଥିବା କ୍ରୁଟ୍‌ର ମୋ ବସ୍‌ ସେବା ଭାୟା ଶଙ୍କରପୁର ଗ୍ରାମ ପଞ୍ଚାୟତ ମହକୁମା ହୋଇ ମଙ୍ଗରାଜପୁର ରାଜବାଟି ଏବଂ କୋଚିଲା-ନୂଆଗାଁ ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ଆଲୋଚନା ହୋଇଛି। କଟକରୁ ମଞ୍ଚେଶ୍ୱର-ଧବଳେଶ୍ୱର ପର୍ଯ୍ୟନ୍ତ ଯାଉଥିବା ମୋ ବସ୍‌ ମଞ୍ଚେଶ୍ୱରରୁ ଭାୟା ନାରଙ୍ଗବସ୍ତ-କଖଡ଼ି ହୋଇ ଘଣ୍ଟିଖାଲ ରେଳଷ୍ଟେଶନ ପର୍ଯ୍ୟନ୍ତ ଯାଇ ପୁନଃ ସେହି ରାସ୍ତାରେ କଟକ ଫେରିବା ପାଇଁ ଆଲୋଚନା ହୋଇଛି। ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦେଖି କଟକର କ୍ରୁଟ୍‌ ବସ୍‌ସେବା ଭାୟା ଗୁରୁଡ଼ିଝାଟିଆ ହୋଇ ଗୋବରା ଗ୍ରାମପଞ୍ଚାୟତ ମହକୁମା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଯିବା ପାଇଁ ଆଲୋଚନା ହୋଇଥିଲା।