Categories: ଜାତୀୟ

କୃଷି ବିଧେୟକ ରାଜ୍ୟ ସଭାରେ ଉପସ୍ଥାପିତ: ମଞ୍ଜୁରୀ ପାଇଁ ଛୋଟ ଦଳଙ୍କ ଭରସାରେ ଭାଜପା

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ କୃଷି ବିଧେୟକ ଉପସ୍ଥାପିତ ହୋଇଛି। ଏହାକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଏହି ବିଲ୍‌ କୃଷକଙ୍କ ଜୀବନରେ ବହୁ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବ। ଦେଶର ଯେକୌଣସି ସ୍ଥାନରେ ନିଜ ଉତ୍ପାଦିତ ଫସଲକୁ ବିକ୍ରି କରିବାର ସ୍ବାଧୀନତା କୃଷକମାନେ ପାଇପାରିବେ। ଏହା ସର୍ବନିମ୍ନ ସହାୟକ ମୂଲ୍ୟ ସହିତ କୌଣସି ସମ୍ପର୍କ ରଖେ ନାହିଁ ବୋଲି ତୋମାର କହିଛନ୍ତି। ଏହାକୁ ବିରୋଧ କରି ସିପିଆଇଏମ୍‌ର ଏମ୍‌ପି କେ.କେ. ରାଗେଶ କହିଲେ ଯେ, ସରକାର ଏହ ମାଧ୍ୟମରେ କର୍ପୋରେଟ କ୍ଷେତ୍ରଗୁଡ଼ିକ ପାଇଁ ପ୍ୟାକେଜ ଆଣିଛନ୍ତି। ତେବେ ଏହାଦ୍ୱାରା କୃଷକଙ୍କ କ୍ଷତି ହେବ। କଂଗ୍ରେସ ଏମ୍‌ପି ପ୍ରତାପ ସିଂ ବାଜଓ୍ବା କହିଲେ ଯେ, ଏହି ବିଲ୍‌ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ କରିବ। ଏହା ସହମତି ମୃତ୍ୟ ପରଓ୍ବାନରେ ଦସ୍ତଖତ କରିବା ଭଳି। ବିଲ୍‌କୁ ନେଇ ଭାଜପା ଏମ୍‌ପି ଭୂପେନ୍ଦ୍ର ଯାଦବ କଂଗ୍ରେସକୁ ବିରୋଧ କରି କହିଥିଲେ ଯେ, ଗତ ୬୦ ବର୍ଷ ମଧ୍ୟରେ ଦେଶର କୃଷକଙ୍କ ପାଇଁ କଂଗ୍ରେସ କିଛି ବି କରି ନାହିଁ। କୃଷକ କଂଗ୍ରେସ ପାଇଁ କେବଳ ଭୋଟ ବ୍ୟାଙ୍କ ସାଜିଛନ୍ତି। ଏବେ ଭାଜପା ସରକାରକୁ କଂଗ୍ରେସ କେବଳ ବିରୋଧ କରିବା ଜାରି ରଖିଛି। ଏନେଇ ତୃଣମୂଳ କଂଗ୍ରେସ ଏମ୍‌ପି ଡେରେକ୍‌ ଓ ବାୟନ କହିଲେ ଯେ, ଭାଜପା ସରକାର କେବଳ ପ୍ରତିଶ୍ରୁତି ଦେଇଜାଣେ ମାତ୍ର ଏହାକୁ ପୂରଣ କରି ପାରେନା। ସୂଚନାଯୋଗ୍ୟ, କୃଷି ବିଧେୟକକୁ ଲୋକ ସଭାରେ ମଞ୍ଜୁରୀ ମିଳି ସାରିଛି। ତେବେ ରାଜ୍ୟ ସଭାରେ ଭାଜପାର ସ୍ଥିତି ଦୁର୍ବଳ ରହିଛି। ଏବେ ରାଜ୍ୟସଭାର ମୋଟ ଆସନ ସଂଖ୍ୟା ୨୪୫ ଥିବାବେଳେ ସେଥିମଧ୍ୟରୁ ୨ ଟି ଆସନ ଖାଲି ପଡ଼ିଛି। ଫଳରେ ସଦସ୍ୟଙ୍କ ସଂଖ୍ୟା ୨୪୩ ରହିଛି। କୃଷି ବିଧେୟକକୁ ମଞ୍ଜୁରୀ ମିଳିବା ପାଇଁ ୧୨୨ ଜଣ ସଦସ୍ୟଙ୍କ ସମର୍ଥନ ରହିବା ଆବଶ୍ୟକ। ଏବେ ରାଜ୍ୟ ସଭାରେ ଭାଜପାର ସଦସ୍ୟ ସଂଖ୍ୟା ୮୬ ରହିଛି। ବିଧେୟକ ବିରୋଧରେ ୧୦୦ ଭୋଟ ପଡ଼ିବ ବୋଲି ଭାଜପା ଆଶା ରଖିଛି। ଅପର ପକ୍ଷରେ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ପାଇଁ ଭାଜପା ଛୋଟ ଦଳଙ୍କ ଭରସାରେ ରହିଛି। ଇତିମଧ୍ୟରେ ଭାଜପା ପକ୍ଷରୁ ହ୍ବିପ୍‌ ମଧ୍ୟ ଜାରି ହୋଇ ସାରିଛି। କେତେକ ସଦସ୍ୟ ଭୋଟଦାନରୁ ବିରତ ରହିବା ସହିତ ଅନୁପସ୍ଥିତ ମଧ୍ୟ ରହିବେ। ଫଳରେ ସରକାରଙ୍କ ପାଖରେ ୧୧୫ ପାଖାପାଖି ସଦସ୍ୟଙ୍କ ସମର୍ଥନ ରହିବାର ଆଶା ରହିଛି। ଅପରପକ୍ଷରେ ବିରୋଧୀ ଦଳଙ୍କ ସମର୍ଥନ ୧୦୦ରୁ ଟପିବ ନାହିଁ ବୋଲି କୁହାଯାଉଛି।

Share