ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ଚାଲିଥିବା ନିୟମିତ ୟୁଜର୍ ଟ୍ରେନିଂ ଲଞ୍ଚର ଏକ ଅଂଶବିଶେଷ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପରମାଣୁ ଯୁଦ୍ଧାସ୍ତ୍ର ବହନ କ୍ଷମତା ଥିବା ଅଗ୍ନି – ୪ କ୍ଷେପଣାସ୍ତ୍ର ୪,୦୦୦ କି.ମି. ଦୂରରେ ଥିବା ଟାର୍ଗେଟକୁ ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା। ଅଗ୍ନି -୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ‘ସର୍ବନିମ୍ନ ବିଶ୍ୱସନୀୟ ପ୍ରତିରୋଧ’ ନୀତିର କ୍ଷମତା ପ୍ରମାଣିତ କରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଲମ୍ବ ୨୦ ମିଟର, ବ୍ୟାସ ୨ ମିଟର ଓ ଓଜନ ୧୭ ମେଟ୍ରିକ୍ ଟନ୍। ଏହା ହଜାରେ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିିପାରିବ। ଏହି ପରୀକ୍ଷଣର ସଫଳତାକୁ ନେଇ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକ, କ୍ଷେପଣାସ୍ତ୍ର ବିଶେଷଜ୍ଞଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।