୭୨ ପରିବାରକୁ ଘର ଦିଆ ନ ଗଲେ ଆନ୍ଦୋଳନ

ରଘୁନାଥପୁର,୩୧।୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ରବିବାର ଆୟୋଜିତ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ତାଲିକାରେ ନାମ ଥିବା ୭୨ ପରିବାରକୁ ଘର ଦିଆ ନ ଗଲେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ଉପସ୍ଥିତ ଲୋକେ ଗ୍ରାମସଭାରେ ଏକ ରିଜୋଲୁଶନ ଆଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିିଛନ୍ତି।
ସୂଚନାଯୋଗ୍ୟ, ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଥିବା ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିଲା। ଏହାପରେ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ହୋଇଥିଲା। ଏଥିରେ ଅର୍ଦ୍ଧାଧିକ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ପଡଛି। ଏପରିକି ପାଲତଳେ ରହୁଥିବା ବ୍ୟକ୍ତି ମଧ୍ୟ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ଏନେଇ ତଦନ୍ତର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ଆଧାରରେ ଯୋଗ୍ୟ ହିତାଧିକାରୀ ଚୟନ କରାଯାଇଛି ସେନେଇ ପଞ୍ଚାୟତବାସୀ ପ୍ରଶ୍ନ କରିଛନ୍ତି। ପଞ୍ଚାୟତରେ ୫୦% ଜନସାଧାରଣ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର। ସେମାନଙ୍କ ମଧ୍ୟରୁ ବହୁଲୋକ ଚାଳଛପର ଘରେ ବସବାସ କରୁଛନ୍ତି। ତାଲିକାରେ ପ୍ରକାଶ ପାଇଥିବା ନାମଠାରୁ ଅଧିକ ଲୋକ ପକ୍କାଗୃହ ପାଇବା ପାଇଁ ଯୋଗ୍ୟଥିବା ନେଇ ସାମାଜିକ କର୍ମୀ ରହିମ ଖାଁ କହିଛନ୍ତି।
ଏନେଇ ଗ୍ରାମସଭାରେ ଉପସ୍ଥିତ ମହିଳା ଓ ପୁରୁଷ ସଭାକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଉଥିବାବେଳେ ସରପଞ୍ଚ ସାହେଦା ତବସୁମ ସେମାନଙ୍କୁ ବୁଝେଇ ରିଜୋଲୁଶନ ମାଧ୍ୟମରେ ସେମାନଙ୍କ ମତାମତ ଲିପିବଦ୍ଧ କରିଥିଲେ। ଆଗାମୀ ଦିନରେ କୌଣସି ସୁଫଳ ନ ମିଳିଲେ ବାଧ୍ୟହୋଇ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜିଲା ବିଜେଡି ସାଧାରଣ ସମ୍ପାଦକ ଅଜୟ ସାମଲଙ୍କ ସହ ଗ୍ରାମସଭାରେ ଉପସ୍ଥିତ ବକ୍ତି ଚେତାବନୀ ଦେଇଛନ୍ତି।