ପ୍ରଶାସନରେ ବର୍ଦ୍ଧିଷ୍ଣୁ ବିଶୃଙ୍ଖଳା

ସହଦେବ ସାହୁ

 

କେଓସ୍‌ (ବିଶୃଙ୍ଖଳା ଘଟିବା) ଏକ ପ୍ରାକୃତିକ ପ୍ରକ୍ରିୟା। ଯଦି ବାହାରୁ ସୂର୍ଯ୍ୟ ଓ ଅନ୍ୟ ତାରକାଙ୍କଠାରୁ ଶକ୍ତି ପାଉ ନ ଥାନ୍ତା ତେବେ ପୃଥିବୀଟା କେଉଁ କାଳରୁ ଏକ ଶୁଷ୍କ ଶିଳା ପେଣ୍ଡୁ ହୋଇଯାଆନ୍ତାଣି। ପଦାର୍ଥ ବିଜ୍ଞାନୀ ରୁଡୋଲଫ କ୍ରସିଅସ୍‌ (୧୮୨୨- ୮୮) ଆବିଷ୍କାର କଲେ ଯେ ଯେକୌଣସି ଆବଦ୍ଧ ସ୍ଥାନରେ ବିଶୃଙ୍ଖଳା ବୃଦ୍ଧି ବା ଏଣ୍ଟ୍ରୋପି ହୋଇ ତାହା ଶେଷରେ ଧ୍ୱଂସ ହୋଇଯାଏ। ଗରମ ପାଣି ଥଣ୍ଡା ହେବ, ତାପ ଆପେ ଆପେ ବିଛୁଡି ଯାଇ ଉଚ୍ଚରୁ ନୀଚକୁ ଯାଏ, ଯିବା ପ୍ରକ୍ରିୟାରେ କିଛି ତାପ ବିଛୁଡି ବା ନଷ୍ଟ ହୋଇଯାଏ, କିଛି କାମରେ ଲାଗେ ନାହିଁ। କିନ୍ତୁ ଥଣ୍ଡାପାଣିକୁ ଗରମ କରିବାକୁ ଚାହିଁବ ତ ବାହାରୁ ଜାଳ (ଏନର୍ଜି) ଯୋଗାଇବ। ଅର୍ଥାତ୍‌ ପାରିପାର୍ଶ୍ୱିକ ପରିବର୍ତ୍ତନ କରିବାକୁ ପଡିବ। ମନେ ରଖନ୍ତୁ, ଏ ଏନର୍ଜିର କିଛି ଭାଗ (ତାପାଂଶ ବା ଥର୍ମାଲ୍‌ କଣ୍ଟେଣ୍ଟ) ପ୍ରକୃତ କାମ କରିବ, ବାକି ଭାଗ (ଡିଫ୍ୟୁଜଡ୍‌ କଣ୍ଟେଣ୍ଟ) ଚାରିଆଡ଼େ ବିଛୁଡ଼ିଯିବ, ବିଶୃଙ୍ଖଳା ସୃଷ୍ଟି କରିବ। ଚରମ ବିଶୃଙ୍ଖଳା ଧ୍ୱଂସ ଆଣେ। ଯେଉଁ ବିଶୃଙ୍ଖଳା ପ୍ରକୃତିର ନିୟମ ତାକୁ ମାପିବାର ଏକ ଉପାୟ ହେଉଛି ଏଣ୍ଟ୍ରୋପି। ବାହାରୁ ଶକ୍ତି ବା ସହାୟତା ଯେତେ କମିବ ପରିବେଶଟି ସେତେ ଏଣ୍ଟ୍ରୋପିକ୍‌ ବା ଧ୍ୱଂସାଭିମୁଖୀ ହେଉଥିବ- ଉଭୟ ଭୂମା (ମାକ୍ରୋ) ଓ ସୂକ୍ଷ୍ମ (ମାଇକ୍ରୋ) ସ୍ତରରେ। ଏ ପ୍ରବନ୍ଧଟି ଲେଖିଲାବେଳେ ଓ ତୁମେ ପଢ଼ିଲାବେଳେ ବି ଆମ ଭିତରେ ଓ ଚାରିଆଡେ ବିଶୃଙ୍ଖଳା ବ୍ୟାପୁଛି। ଆମ ଶରୀରରେ ଣକୋଷଗୁଡ଼ିକର ଅବକ୍ଷୟ ଘଟୁଛି, ଆମ ଘର ବା କମ୍ପାନୀର ଚଟାଣ ମଇଳା ହେଉଛି। ଆମ ଚା କପ୍‌ରୁ ତାପ ଚାରିଆଡ଼େ ବ୍ୟାପୁଛି, କପ୍‌ ଥଣ୍ଡା ହେଉଛି। ଚାରିଆଡ଼କୁ ଦେଖ, ସମାଜରେ ଅପରାଧ ଓ ଆନ୍ଦୋଳନ ବଢ଼ୁଛି, ସାମାଜିକ ସମ୍ପର୍କରେ ଭଟ୍ଟା ପଡୁଛି। ରାଜ୍ୟ ଶାସନ କ୍ଷେତ୍ରରେ ଦେଖିବା ତ ଗଣତନ୍ତ୍ର ବ୍ୟବସ୍ଥାର ସେମିତି ଅବକ୍ଷୟ ଘଟୁଛି। ନିର୍ଦ୍ଦିଷ୍ଟ କାଳ ବ୍ୟବଧାନରେ ନିର୍ବାଚନ କରାଇ ଶାସନ କଳରେ ନୂଆ ଏନର୍ଜି ଅଣାଯାଏ, କିନ୍ତୁ ନିର୍ବାଚନ ଯଦି ସେହି ପୁରୁଣା ଲୋକଙ୍କୁ ଫେରାଇ ଆଣେ ବିଶୃଙ୍ଖଳା ହାର (ଏଣ୍ଟ୍ରୋପି) ବଢ଼ିବ, ଶାସନଗାଦିରେ ଥିବା ଲୋକେ ଅପରାଜେୟ ମନେକରି ମନଇଚ୍ଛା କାମ କରିଚାଲିବେ, ସେମାନଙ୍କ ସମ୍ପର୍କୀୟମାନେ ଫାଇଦା ଉଠାଇବେ। ସାମାଜିକ ବିଶୃଙ୍ଖଳାର ହାର ବଢ଼ିଲେ ଗଣତନ୍ତ୍ର ଭୁଶୁଡ଼ିପଡ଼ିବ, ଦଳମୁଖିଆ ଓ ତାଙ୍କ ସମର୍ଥକ ଗୋଷ୍ଠୀ (କୋଟରି) ଜନମତ ତିଆରି କରିପାରିବାର ମାଧ୍ୟମଗୁଡ଼ିକୁ ନିୟନ୍ତ୍ରଣ କରିନେବେ, କୋଟରିଙ୍କ ଦ୍ୱାରା ଛଙ୍କା ହୋଇଥିବା ଖବର ଲୋକଙ୍କୁ ମିଳିବ ତ ଲୋକେ ସତ କ’ଣ ଜାଣିପାରିବେ ନାହିଁ।
ସମାଜରେ ଏଣ୍ଟ୍ରୋପିକୁ ରୋକିବାର ଉପାୟ ହେଉଛି ନୂତନ ଏନର୍ଜି ଯୋଗାଇବା, ସମାଜରେ ପରିବର୍ତ୍ତନ ଆଣିବାକୁ ଏ କାମ ନେତାମାନେ କରିପାରନ୍ତି। ଏଣ୍ଟ୍ରୋପିର ଦିଗ ଆଗକୁ ଆଗକୁ। ଏହାକୁ ବୁଝାଇବା ପାଇଁ ଆରୋ ଅଫ୍‌ ଟାଇମ୍‌ (ସମୟ ତୀର) ଉପମା ବ୍ୟବହାର କରାଯାଉଛି। ପଛଟା ଭଲ ଥିଲା, ଆଗଟା ଖରାପ ହେଉଛି, ଯାହା ନଷ୍ଟ ବା ବିଶୃଙ୍ଖଳ ହୋଇଛି ତାହା ଭରଣା କରିବାର ପ୍ରାକୃତିକ ଉପାୟ ନାହିଁ। ଥର୍ମାଲ୍‌ କଣ୍ଟେଣ୍ଟ ଓ ଡିଫ୍ୟୁଜନ୍‌ କଣ୍ଟେଣ୍ଟ- ଦୁଇଟି ମିଶି ପୂର୍ବ ଅବସ୍ଥା, ବିଛୁରଣ (ଡିଫ୍ୟୁଜନ) ଶକ୍ତି ନଷ୍ଟ ହୋଇଯାଉଥିବାରୁ ଏଣ୍ଟ୍ରୋପି ଘଟେ, ବିଶୃଙ୍ଖଳାର ବୃଦ୍ଧି ହୁଏ, ଅର୍ଥାତ୍‌ ଏଣ୍ଟ୍ରୋପି ହିଁ ଅତୀତକୁ ଭବିଷ୍ୟତରୁ ପୃଥକ କରିଥାଏ: ପ୍ରାକୃତିକ ନିୟମ ବା ଲ’ ନ ବୁଝି ବି ଆଗେ ଆମେ ଭଲରେ ଥିଲୁ ଏବେ ଖରାପରେ ଅଛୁ ବୋଲି ବହୁତ ଲୋକ କହନ୍ତି!
୧୯୨୨ରେ ଆରୋ ଅଫ୍‌ ଟାଇମ୍‌ ଧାରଣା ଆଣିଥିବା ଜ୍ୟୋତିର୍ବିଦ୍‌ ଆର୍ଥର ଏଡିଟନ୍‌ କହିଲେ, ପ୍ରତ୍ୟେକ ଘଟଣା, ପ୍ରତ୍ୟେକ ଜିନିଷ ତୀର ସୂଚାଉଥିବା ଦିଗରେ ଅଗ୍ରସର ହୁଏ, ପଛ (ପୂର୍ବାବସ୍ଥା)କୁ ଫେରେ ନାହିଁ। ଜିନିଷ ବଦଳେ ଏବଂ ଥରେ ବଦଳିଗଲେ ଆଉ ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ। ମଣିଷ ଜନ୍ମନିଏ, ତା’ର ଅଭିବୃଦ୍ଧି ହୁଏ, କିଛି ବର୍ଷ ତିଷ୍ଠି ରହେ ଏବଂ ଶେଷରେ ମରେ। ପରିବେଶ ପ୍ରଦୂଷିତ ହୁଏ, ପ୍ରଦୂଷଣ ସୀମାତିରିକ୍ତ ହେଲେ ଜୀବଜଗତ ଧ୍ୱଂସାଭିମୁଖୀ ହୁଏ। ଯେତେବେଳେ ଦୁଗ୍‌ଧରେ କାଳି ଟୋପାଟିଏ ପକାଇ ଦିଅ ତାହା ଚାରିଆଡ଼େ ବ୍ୟାପିଯାଏ, ତାକୁ ହଲାଇଲେ କାଳି ବୁନ୍ଦାଟି ଏମିତି ଘୂରି ଘୂରି ରହିବ ଯେମିତି ଆକାଶରେ ଗ୍ରହାଣୁ ଘୂରୁଥାଏ। ଦୁଗ୍‌ଧକୁ ଓଲଟା ଘୂରାଇଲେ କାଳି ଆଉ ବିନ୍ଦୁ ଅବସ୍ଥାକୁ ଫେରିବ ନାହିଁ। ଦିନେ ଏହା ଗୋଟିଏ ବିନ୍ଦୁ ଥିଲା, ପୂର୍ବର ବିନ୍ଦୁ ଅବସ୍ଥାକୁ ଫେରୁନାହିଁ କାହିଁକି? ଏମିତି ଥରେ ଅଧେ ଘଟେ ନାହିଁ, ସମୟ ବିଷୟରେ ଯେତେ ଭିତରକୁ ଭିତରକୁ ଯିବା ଏହିଭଳି ବିଶୃଙ୍ଖଳା ବଢ଼ି ଚାଲିଥିବା ଉଦାହରଣ ବହୁତ ଦେଖିବା, ସେଗୁଡ଼ିକ ପ୍ରତ୍ୟେକ ପୂର୍ବ ଶୃଙ୍ଖଳାକୁ ଫେରିପାରିବ ନାହିଁ। ବ୍ୟବସ୍ଥାର ପୁନର୍ଗଠନ, ଯେପରି ଥଣ୍ଡା ପାଣିକୁ ଗରମ କରିବା ବା ଅଧିକା ଥଣ୍ଡା ହେବାରୁ ରୋକିବା ଚାହିଁବା ତ ତହିଁରେ ବାହାରର ଏନର୍ଜି ପୂରାଇବାକୁ ପଡ଼ିବ (ଇଞ୍ଜେକ୍ଟ ଆଉଟ୍‌ସାଇଡ୍‌ ଏନର୍ଜି)। ପାଣି ଗରମ କରିବା ଗୋଟିଏ ନଜିର ମାତ୍ର, ଯେ କୌଣସି ଜିନିଷକୁ ଶୃଙ୍ଖଳିତ ଅବସ୍ଥାରେ ରଖିବାକୁ ବହୁତ ଏନର୍ଜି ଦରକାର; ଜିନିଷଗୁଡ଼ିକର ବ୍ୟବସ୍ଥାକୁ ଶୃଙ୍ଖଳିତ ଅବସ୍ଥାରେ ରଖିବାକୁ ଆହୁରି ବେଶି ଏନର୍ଜି ଦରକାର।
କହିବା ବାହୁଲ୍ୟ ଯେ ସରକାରୀ ପରିଚାଳନାରେ ଯେଉଁସବୁ ବ୍ୟବସ୍ଥା ଥାଏ ତା’ର ବି ଏଣ୍ଟ୍ରୋପି ଅଛି, ପ୍ରତି ଯୋଜନାର ବି ଏଣ୍ଟ୍ରୋପି ଅଛି। ତାହା ପ୍ରସ୍ତୁତ କରିଥିବା ନେତାଙ୍କ ଇଚ୍ଛା ବା ନିର୍ଦ୍ଦେଶକୁ ଅପେକ୍ଷା କରେ ନାହିଁ। ରାଜନେତାମାନେ ଚାହାନ୍ତୁ କି ନ ଚାହାନ୍ତୁ। ଯୋଜନା ଭିତରେ କାମକରା ବିଷୟବସ୍ତୁ ଓ ବିଛୁରଣ ଭାବେ ନଷ୍ଟ ହେଉଥିବା ବିଷୟବସ୍ତୁର ମିଶ୍ରଣ ଥାଏ; ସମୟକ୍ରମେ ଯେଉଁ ଅଂଶ ବିଛୁରଣରେ ନଷ୍ଟ ହୁଏ ତାହା ଉପଭୋକ୍ତାକୁ ଦୂରେଇ ଦିଏ, ନେତାମାନଙ୍କ ପ୍ରିୟାପ୍ରୀତି ଓ ଲାଞ୍ଚ ଦିଆନିଆ ଭଳି କାମକୁ ବଢ଼ାଇଦିଏ, ତାହା ହିଁ ତ ଏଣ୍ଟ୍ରୋପି ଏବଂ ତାହା ବଢ଼ି ବଢ଼ି ଚାଲେ। କାରଣ ଅବଶିଷ୍ଟାଂଶ ‘କାମକରା ବିଷୟବସ୍ତୁ’ ହ୍ରାସପାଏ। ଦିନେ ସମଗ୍ର ଯୋଜନାଟି ନେତା ଓ ସେମାନଙ୍କ ସମ୍ପର୍କୀୟଙ୍କ କାମରେ ଲାଗିଯାଇପାରେ ଯଦି ବାହାରର ଏନର୍ଜି ନ ପଶେ। ଅସଲ ଉପଭୋକ୍ତାଙ୍କୁ ଉପେକ୍ଷା କରୁଥିବାରୁ ସମାଜରେ ଜନଅସନ୍ତୋଷ ତଥା ପ୍ରତିବାଦ-ଆନ୍ଦୋଳନ ଆଦି ବିଶୃଙ୍ଖଳା ଦେଖାଦିଏ। ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରତି ୫ ବର୍ଷ ବା ତଦନୁରୂପ ସମୟସୀମା ଭିତରେ ନିର୍ବାଚନ କରାଇବା ପ୍ରଥା ହିଁ ନୂଆ ଏନର୍ଜି ପୂରେଇବାର ଅବସର ଆଣେ, ଆଣ୍ଟି ଏଷ୍ଟାବ୍ଲିଶମେଣ୍ଟ ହାୱା ନୂଆ ଏନର୍ଜି ଆଣେ, କିନ୍ତୁ ସେ ହାୱା ନ ବୋହିଲେ ଲୋକେ ଏଣ୍ଟ୍ର୍ରୋପିର ଶିକାର ହେବେ। ଅବଶ୍ୟ ଉପସ୍ଥିତ ସରକାର ଏଆର୍‌ ପିୟୁରିଫାୟର (ବାୟୁ ସଫାକାରୀ ଯନ୍ତ୍ର) ଭଳି ନୂଆ ନୂଆ ଯୋଜନା ବା ବ୍ୟବସ୍ଥା କରିଥାନ୍ତି: ଯେଭଳି ଆମ ରାଜ୍ୟରେ ‘ଫାଇଭ୍‌ ଟି’ ବ୍ୟବସ୍ଥା ଭର୍ତ୍ତି ବା ଇଞ୍ଜେକ୍ଟ କରାଗଲା। କାଳକ୍ରମେ ତାହା ବି ଏଣ୍ଟ୍ରୋପିର ଶିକାର ହେଲାଣି, ଭାଇରସ୍‌ ରୂପେ ଲୋକେ ଗୋଟିଏ ନୂଆ ‘ଟି’ ଦେଖିଲେଣି, ତାହା ହେଉଛି ତୋସରପାତ, ଯାହା ଅନ୍ୟ ୫ଟି ‘ଟି’ କୁ ନିଷ୍ପ୍ରଭ କରିଦେଲାଣି। ନୂତନ ଗଠନ ବା ନିର୍ମାଣ ଭୁଶୁଡ଼ିବା ଓ କର୍ମଚାରୀହୀନ ସେବା ଏହାର ଲକ୍ଷଣ। ତୋସରପାତ, ଚଞ୍ଚକତା, ଛିନ୍‌ତାଇ, ହତ୍ୟା, ଏଟିଏମ୍‌ ଭଙ୍ଗା, ମଦ ଓ ଡ୍ରଗ୍ସ କାରବାର ବୃଦ୍ଧି, ପୋଲିସିଂ ଲୋକାଭିମୁଖୀ ନ ହେବା, (ଦ୍ୱାରିକାର ଏଣ୍ଟ୍ରୋପି ଭଳି ସମ୍ପର୍କୀୟମାନଙ୍କ ଭିତରେ ନରହତ୍ୟାପ୍ରବଣତା ଓ ବଳାତ୍କାର ଆଦିର ପ୍ରାଦୁର୍ଭାବ ବଢ଼ିବା ଏହାର ଲକ୍ଷଣ। କର୍ମଚାରୀମାନେ ଟ୍ରେନିଂ ଭୁଲିଯାଇ ପାରନ୍ତି, ଉତ୍ସାହ ହରାଇ ପାରନ୍ତି, ନିୟମ ମାନି ନ ପାରନ୍ତି। ଦଳର ଲାଭରେ ରାଜ୍ୟର ରାଜକୋଷ ବ୍ୟବହାର ହୁଏ ଏବଂ ତାହା ଯଥେଷ୍ଟ ନ ହେଲେ ରାଜ୍ୟକୁ ଋଣଗ୍ରସ୍ତ କରାଯାଏ।
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri