ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି: ଭାଜପା

ଭୁବନେଶ୍ବର, ୧୯ା୬(ସୁନିତ୍‌ ମିଶ୍ର): ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରିଦେଇ ବିଜେଡିର ମନ୍ତ୍ରୀ ଓ ନେତାମାନେ ଓଡ଼ିଶାକୁ ଖାଇଗଲେଣି। ରାଜ୍ୟର ଶାସନ ଡୋରି କାହା ହାତରେ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ବିଜେଡି ‘ଆକ୍ରୋଶମୂଳକ ରାଜନୀତି’କୁ ମୁଖ୍ୟ ଅସ୍ତ୍ର କରିଛି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ଯାଜପୁର ଜିଲାର ବରିଷ୍ଠ ନେତା ବିଶିଷ୍ଟ ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରିଆଙ୍କୁ ଗିରଫ କରିବା ପଛରେ ଦୀର୍ଘଦିନର ରାଜନୈତିକ ଓ ପ୍ରଶାସନିକ ଆକ୍ରୋଶ ମୁଖ୍ୟ କାରଣ। ସ୍ଥାନୀୟ ତହସିଲଦାର, ଖଣିମାଫିଆ ଓ ସ୍ଥାନୀୟ ବିଧାୟକ ମିଳିମିଶି କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଲୁଟ୍‌ କରୁଥିବାର ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସର୍ବେଶ୍ୱର ଏବଂ ତାଙ୍କ ପରିବାର ଉପରେ ଲଗାତର ଆକ୍ରମଣ କରାଯାଉଛି। ସର୍ବେଶ୍ୱରଙ୍କ ନିରନ୍ତର ଉଦ୍ୟମ କାରଣରୁ ଡଙ୍କାରୀ ଓ ବିଛାଖଣ୍ଡିରେ ବେଆଇନ ଖଣି ଖନନ ବନ୍ଦ ହୋଇଛି। ତାଙ୍କ ଉପରେ ଲଗାଯାଇଥିବା ମିଛ କେସ୍‌କୁ ତୁରନ୍ତ ପ୍ରତ୍ୟାହାର କରାଯାଇ ତୁରନ୍ତ ଖଲାସ କରାଯାଉ। ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମ୍ପକ୍ତ ଥିବା ବିଜେଡି ପ୍ରତିଶୋଧପରାୟଣ ଓ ଆକ୍ରୋଶମୂଳକ ରାଜନୀତିରୁ ଅବ୍ୟାହତ ରୁହନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।