ଏଏସ୍‌ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…

କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସ୍‌ଓ ପଦବୀ ନିମନ୍ତେ ଏଥର ୩୮ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ। ପୂର୍ବରୁ ୨୧ରୁ ୩୨ ବର୍ଷ ବୟସର ପ୍ରାର୍ଥୀମାନେ ଏହି ପଦବୀ ନିମନ୍ତେ ଆବେଦନ କରିପାରିବେ ବୋଲି ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟ ସରକାର ଚାକିରି ପାଇଁ ବୟସ ସୀମା ବୃଦ୍ଧି କରିବା ପରେ ଓପିଏସ୍‌ସି ପକ୍ଷରୁ ଏହି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଆବେଦନ ନିମନ୍ତେ ବୟସସୀମା ପରିବର୍ତ୍ତନ କରାଯାଇଛି। ଅନ୍ୟ ସମସ୍ତ ବିଷୟ ଅପରିବର୍ତ୍ତିତ ରହିବ ବୋଲି ଓପିଏସ୍‌ସି ସଚିବ ଅଶୋକ କୁମାର ଦାସ କହିଛନ୍ତି।

ସୂଚନାଥାଉ କି, ଓପିଏସ୍‌ସି ପକ୍ଷରୁ ଗତ ଜାନୁୟାରୀ ୧ ତାରିଖରେ ଏଏସ୍‌ଓ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୨୦ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୩ଟି ଜୋନ୍‌ରେ ଏହି ପରୀକ୍ଷା ହେବା ପାଇଁ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ମୋଟ୍‌ ପଦବୀ ମଧ୍ୟରୁ ଏସ୍‌ଇବିସି ବର୍ଗ ନିମନ୍ତେ ୬୨, ଅନୁସୂଚିତ ଜାତି ବର୍ଗ ପାଇଁ ୧୦୯, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୭୮ ସଂରକ୍ଷିତ ରଖାଯାଇଥିବାବେଳେ ୪୪୭ଟି ଅସଂରକ୍ଷିତ ଥିବା ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।