ବୟସ ଷାଠିଏ ଅତିକ୍ରାନ୍ତ, ମିଳୁନି ଭତ୍ତା

ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ): ବୟସ ୬୦ ଅତିକ୍ରାନ୍ତ କଲାଣି ଏକାଧିକ ଲୋକଙ୍କ ଅଣ୍ଟା ନଇଁ ଗଲାଣି, ଚାଲିବାକୁ ସାହାରା ଦରକାର ପଡୁଛି। ହେଲେ ଆଧାର କାର୍ଡରେ ବୟସ ସଠିକ ରହିଥିବା ବେଳେ ଭୋଟ ପରିଚୟ ପତ୍ରରେ ତ୍ରୁଟି ଯୋଗୁ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ଏକାଧିକ ବୃଦ୍ଧାବୃଦ୍ଧ। ପରିଣତ ବୟସରେ ସେମାନେ ଚଳିବା ମୁସ୍କିଲ ରହିଥିବା ବେଳେ ଆବଶ୍ୟକ ଔଷଧ ଓ ଅନ୍ୟ ସାମଗ୍ରୀ ପାଇଁ ଖର୍ଚ୍ଚ କରିବା କଷ୍ଟ ହୋଇପଡିଛି। ଭତ୍ତା ନପାଇ ସେମାନେ ନିରାଶ୍ରୟ ହୋଇପଡୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ। ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ ପ୍ରାୟ ୪୦ କିମି ଦୂର।ବାରମ୍ବାର ସେମାନେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଆଉ ତାଙ୍କୁ ଭତ୍ତା ମିଳିବ ନାହିଁ ବୋଲି ସେମାନେ ଆଶଙ୍କା କଲେଣି। ସେମାନଙ୍କ ନିକଟରେ ବ୍ଲକ କାର୍ଯ୍ୟାଳୟ କି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିବା ପାଇଁ ବଳ, ବୟସ ଓ ଅର୍ଥ ସବୁରେ ଅଭାବ ଦେଖାଯାଇଛି। ଫଳରେ କିଭଳି ସେମାନେ ଚଳିବେ ସେନେଇ ଚିନ୍ତା ପ୍ରକଟ କରି କହିଛନ୍ତି ଉକ୍ତ ଅଞ୍ଚଳର ଭତ୍ତାରୁ ବଞ୍ଚିତ ହୋଇଥିବା ସୋମନାଥ ବେହେରାଦଳାଇ,ପ୍ରଭାକର ବିଶୋଇ,ସଚିନ୍ଦ୍ର କର୍ଜି,ଦେବେନ୍ଦ୍ର କର୍ଜି, ପ୍ରମିଳା ବେହେରାଦଳାଇ ଏବଂ ସ୍ବାମୀ ପରିତ୍ୟକ୍ତା ଚଞ୍ଚଳା ବିଶୋଇ। ଏନେଇ ଦାରିଙ୍ଗବାଡି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀତିଶ ପ୍ରିୟଦର୍ଶି କହିଛନ୍ତି ଯେ, ଭତ୍ତା ପାଇଁ ଭୋଟର ପରିଚୟ ପତ୍ର ବାଧ୍ୟତାମୂଳକ,ଆଧାର ନୁହେଁ, ତେଣୁ ତାକୁ ତ୍ରୁଟି ସଂଶୋଧନ କଲାପରେ ହିଁ ଭତ୍ତା ଦିଆଯାଇପାରିବ।