ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ ମାଧ୍ୟମରେ ଭକ୍ତମାନଙ୍କୁ ମହାପ୍ରସାଦ ବିକ୍ରି କରାଯାଉଥିବା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଶୁଖିଲା ମହାପ୍ରସାଦ ଓ ଖଜା ପ୍ରସାଦକୁ ଅନଲାଇନରେ ବିକ୍ରି କରିବା ପାଇଁ ବିଜ୍ଞାପନ ପ୍ରଚାର କରାଯାଇଥିବା ଦେଖାଯାଇଛି। ଏହାକୁ ନେଇ ଅଗଣିତ ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

‘ବ୍ରଜ ମେଳା’ ନାମକ ଏକ ସଂସ୍ଥା ଏହି ବିଜ୍ଞାପନ ଦେଇଥିବା ବେଳେ ‘ହରେକୃଷ୍ଣ ଟେଲିଭିଜନ’ ନାମକ ଏକ ଇନଷ୍ଟାଗ୍ରାମ ଆଇଡି ମାଧ୍ୟମରେ ଏହା ପ୍ରଚାର ହୋଇଥିବା ଜଣାପଡ଼ିଛି। ଏପରିକି ମହାପ୍ରସାଦ ଆର୍ଡର ପାଇଁ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି।

ମହାପ୍ରସାଦକୁ ‘ଅନ୍ନ ବ୍ରହ୍ମ’ ବୋଲି ମନାଯାଏ। ଏହିପରି ପବିତ୍ର ପ୍ରସାଦକୁ ବ୍ୟବସାୟିକ ଭାବେ ଅନଲାଇନରେ ବିକ୍ରି କରାଯାଇବାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ଏନେଇ ଶ୍ରୀମନ୍ଦିର ପ୍ରଶାସନ  ପଦକ୍ଷେପ ନେଇ ସଂପୃକ୍ତ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି।

ଏହା ପ୍ରଥମ ଘଟଣା ନୁହେଁ; ପୂର୍ବରୁ ମଧ୍ୟ ଅନଲାଇନ ମାଧ୍ୟମରେ ମହାପ୍ରସାଦ ବିକ୍ରି ଘଟଣା ସାମ୍ନାକୁ ଆସିଥିଲା। ତେଣୁ ଏପରି କାର୍ଯ୍ୟକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share