ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ୨୮ଟି ଛକା ସାମିଲ ଥିଲା। ବୈଭବଙ୍କ ଏହି ଧୂଆଁଧାର ପାଳି ପରେ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବୈଭବ ଭାରତୀୟ ଟି-୨୦ ଅନ୍ତର୍ଜାତୀୟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ନିୟମିତ ଖେଳିବାର ସୁଯୋଗ ମିଳୁନାହିଁ। ତାଙ୍କୁ ପ୍ରାୟତଃ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଉଛି। ଏହାକୁ ନେଇ ଏବେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ପ୍ରଶ୍ନ ଉଠାଇଛନ୍ତି। ବୈଭବଙ୍କୁ ସୁଯୋଗ ଦେବା ପାଇଁ ସେ ଗୌତମ ଗମ୍ଭୀରଙ୍କୁ ପରାମର୍ଶ ଦେଇଛନ୍ତି।
ୟୁଏଇ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ ପରେ ମହମ୍ମଦ କୈଫ ଏକ ବଡ଼ ବୟାନ ଦେଇଛନ୍ତି। ସେ ବୈଭବଙ୍କୁ ‘ରେକର୍ଡ ବ୍ରେକର୍’ ଆଖ୍ୟା ଦେବା ସହ ୧୫ ବର୍ଷୀୟ ଏହି ଯୁବ ତାରକାଙ୍କୁ ନିୟମିତ ସୁଯୋଗ ଦେବାକୁ ଟିମ ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଛନ୍ତି।
କୈଫ କହିଛନ୍ତି, ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁନାହିଁ। କୁହାଯାଉଛି ଯେ ବୈଭବଙ୍କୁ ମାତ୍ର ୧୫ ବର୍ଷ ହୋଇଛି ଏବଂ ତାଙ୍କୁ ଏବେ ପ୍ରସ୍ତୁତ କରାଯାଉଛି। କିନ୍ତୁ ସେ ଏପର୍ଯ୍ୟନ୍ତ କ’ଣ ହାସଲ କରିଛନ୍ତି, ତାହା ମୁଁ କହିଦେଉଛି। ସେ ଜଣେ ରେକର୍ଡ ବ୍ରେକର୍। ଏତେ କମ ବଲ୍ରେ ଏତେ ଅଧିକ ରନ କେହି କେବେ କରିନାହାନ୍ତି। ସେ ୫୩ଟି ବଲରେ ୨୦୪ ରନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଲିଷ୍ଟ-ଏ କ୍ରିକେଟରେ ମାତ୍ର ୧୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡ ମଧ୍ୟ ଭାଙ୍ଗିସାରିଛି।
ଅନେକ ପ୍ରଶଂସକଙ୍କ ମତରେ ବୈଭବ ସୂର୍ଯ୍ୟବଂଶୀ କେବଳ ଦୁର୍ବଳ ଦଳ ବିପକ୍ଷରେ ରନ କରୁଛନ୍ତି। ଏହି ସମାଲୋଚକଙ୍କୁ ଜବାବ ଦେବାକୁ ଯାଇ ମହମ୍ମଦ କୈଫ ଆଇପିଏଲରେ ବୈଭବଙ୍କ ଅରେଞ୍ଜ କ୍ୟାପ ଜିତିବାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ଆଇପିଏଲରେ ମଧ୍ୟ ସେ ବହୁତ ରନ କରିଛନ୍ତି। ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡ ଏବଂ ମିଚେଲ ଷ୍ଟାର୍କଙ୍କ ଭଳି ବୋଲରଙ୍କ ସାମ୍ନା କରିଛନ୍ତି। ଆଇପିଏଲରେ ବିଶ୍ୱର ଅନେକ ଶ୍ରେଷ୍ଠ ବୋଲର ଖେଳିଥାନ୍ତି।
ଦ୍ୱିଶତକ ହାସଲ କରିବା ପରେ ଅନ୍ତତଃ ପକ୍ଷେ ଏବେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ନିୟମିତ ସ୍ଥାନ ଦେବା ନେଇ ବିଚାର କରାଯିବ ବୋଲି ମହମ୍ମଦ କୈଫ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସେ ଏପରି ଖେଳାଳିଙ୍କ ମଧ୍ୟରୁ ନୁହନ୍ତି, ଯାହାଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେ ଆଗରୁ ହିଁ ପ୍ରସ୍ତୁତ ହୋଇସାରିଛନ୍ତି। ସେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ନିୟମିତ ଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ରେକର୍ଡ ଭାଙ୍ଗିବା ଏବଂ ନୂଆ ଇତିହାସ ରଚିବାର ସୱତନ୍ତ୍ର ପ୍ରତିଭା ତାଙ୍କ ପାଖରେ ରହିଛି। ମୋର ଆଶା, ଖୁବ୍ଶୀଘ୍ର ତାଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ନିୟମିତ ସୁଯୋଗ ମିଳିବ।