ଥୁଆମୂଳ ରାମପୁର,୨୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବୁଧବାର ସନ୍ଧ୍ୟାରେ ପ୍ରକୃତିର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ପ୍ରବଳ ପବନ, ଘଡ଼ଘଡ଼ି ଏବଂ ସାମାନ୍ୟ ବର୍ଷା ପରେ ଠିକ୍ ୭.୪୦ ମିନିଟ୍ରେ ଅଞ୍ଚଳରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଥିବା ସୂଚନା ମିଳିଛି।
ହଠାତ୍ ଭୂମି ଓ ଘରଦ୍ୱାର ଥରିବା ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଅନେକ ନିଜ ପାଦ ତଳୁ ମାଟି ହଲୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଏହି ଅଞ୍ଚଳରେ ପୂର୍ବରୁ କେବେ ଏଭଳି ଭୂକମ୍ପ ହୋଇ ନ ଥିଲା। ଥୁଆମୂଳ ରାମପୁର ସମେତ ପଡ଼ୋଶୀ ବ୍ଲକ ଗୁଡ଼ିକରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଥିବା ବେଳେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ।