ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍ ଶନିବାର ଠାରୁ ଥଣ୍ଡା ବଢ଼ିଛି। ଶୁକ୍ରବାର ସାରୁ ଜି.ଉଦୟଗିରିରେ ଅସହ୍ୟ ଥଣ୍ଡା ଅନୁଭୂତ ହୋଇଥିଲା। ରବିବାର ସକାଳ ୮ ସୁଦ୍ଧା ପାରଦ ତଳ ମୁହାଁ ହୋଇ ୩ ଡିଗ୍ରୀ ହୋଇଛି। ଶୀତର ପ୍ରକୋପ ବଢ଼ିଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ରବିବାର ୩.୫ ଡିଗ୍ରୀ ରହିଥିବା ବେଳେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରୀ, ଶୁକ୍ରବାର ୭.୮ ଡିଗ୍ରୀ, ଶନିବାର ୪.୪ ଡିଗ୍ରୀ ରେକର୍ଡ ହୋଇଛି। ଯାହା ଫଳରେ ଦୁଇଦିନ ଥଣ୍ଡା ସାମାନ୍ୟ କମ ରହିଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ଯାହା ରାଜ୍ୟର ସବୁଠାରୁ ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ଦାରିଙ୍ଗବାଡ଼ି ୬ ଡିଗ୍ରୀ ଓ ଫୁଲବାଣୀରେ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ହାଡ଼ ଭଙ୍ଗା ଶୀତରେ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଲୋକେ ନିଆଁକୁ ଆଶ୍ରା କରି ରହୁଥିବା ଦେଖିବାକୁ ମିଳିଛି। ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଥଣ୍ଡା ଯୋଗୁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି। ପ୍ରବଳ କୁହୁଡ଼ି ଯୋଗୁ ଗାଡ଼ି ମୋଟର ଯାତାୟାତରେ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣା ଘଟୁଛି। କହିବାକୁ ଗଲେ ପ୍ରବଳ ଶୀତ ଯୋଗୁ ଜି.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତ ଦାଉରୁ ରକ୍ଷା ପାଇବାକୁ ସା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି। ୨୦୨୫ ବର୍ଷ ଶେଷ ହେବାକୁ କିଛିଦିନ ବାକି ଥିବାବେଳେ ଜି.ଉଦୟଗିରିରେ ଅତ୍ୟଧିକ ଥଣ୍ଡା ହେଉଥିବା ଯୋଗୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ବଣ ଭୋଜି ନିମନ୍ତେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦାରିଙ୍ଗବାଡ଼ି ଠାରୁ ଜି.ଉଦୟଗିରରେ ଅଧିକ ଶୀତ ସହ ଜାଡ଼ ଥଣ୍ଡା ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପ୍ରତି ଗୁରୁତ୍ୱ ଦେଉ ନ ଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


