ସ୍କୁଲ ବନ୍ଦ ପରେ ବସ୍ତାନି ବଦଳରେ ଗୋରୁଗାଈ ଚରାଉଛନ୍ତି ପିଲା

କୋକସରା, ୨୪।୧୧ (ଡି.ଏନ.ଏ.)
ଆଜକୁ ପ୍ରାୟ ୭ ମାସରୁ ଊର୍ଦ୍ଧ୍ୱ ହେବ କରୋନା ଯୋଗୁ ସ୍କୁଲରେ ପଡିଛି ତାଲା। ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଉପାନ୍ତ ଓ ବନବାସୀ ଅଞ୍ଚଳରେ ପଢ଼ୁଥିବା ପିଲାଙ୍କ ଭାଗ୍ୟ। ଏବେ ବହି ବସ୍ତାନି ବଦଳରେ ହାତରେ ଅଛି ବାଡ଼ି ଓ ଗାଈଗୋରୁ ଚରାଇ ବଣ ଜଙ୍ଗଲରେ ବିଚରଣ କରୁଛନ୍ତି ଉପାନ୍ତ ଅଞ୍ଚଳର ପିଲମାନେ। ପୁଣି ଅ, ଆ ଭୁଲିଗଲେଣି, ଆଗକୁ ବି ଆଉ ପାଠ ପଢିବା ଆଶା ନାହିଁ । ଏବେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ୨୦ରୁ କମ ସଂଖ୍ୟକ ଉପସ୍ଥାନ ଥିବା ସ୍କୁଲରେ ବି ପଡିବ ତାଲା । ଏହି କ୍ରମରେ କୋକସରା ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି। ଏହା ମଧ୍ୟରେ କୋକସରା ଗୋଷ୍ଠୀ ଶିକ୍ଷା ବିଭଗ ଅଧୀନରେ ଥିବା ଗାଇବନ୍ଧା, କାଦୋମାଲି ପ୍ରାଥମିକ ବିଦ୍ୟାଳୟ ବଣ ପାହାଡ଼ ଘେରା ଜଙ୍ଗଲ ମଧ୍ୟରେ ରହିଛି । ଏହି ପିଲାମାନେ ବନ୍ଦ ପରେ ପାଖ ସ୍କୁଲକୁ ପଢିବାକୁ ଆଦୌ ଚାହୁଁନାହାନ୍ତି କିମ୍ବା ଅଭିଭାବକ ମଧ୍ୟ ପିଲାଙ୍କୁ ପଠାଇବାକୁ ମଙ୍ଗୁ ନାହାନ୍ତି । ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଯିବା ପାଇଁ ବିପଦ ରହିଛି । ଏଣୁ ସ୍କୁଲ ବନ୍ଦ ନ କରିବାକୁ ଏହି ଦୁଇ ଆଦିବାସୀ ଗାଁର ଗ୍ରାମବାସୀ କହିଛନ୍ତି । ସ୍କୁଲ ବନ୍ଦ ହେଲେ ପିଲା ମୁର୍ଖ ତ ହେବେ ଗାଈଗୋରୁ ଚରାଇବା କି ଚାଷ କାମରେ ସାହାଯ୍ୟ କରିବା ଛଡା ଆଉ କଣ କରିବେ ବୋଲି କହିଛନ୍ତି। ଏହା ବ୍ୟତୀତ କୋକସରା ବ୍ଲକର କୋକସରା ବଡପଡା, ବାବେକୋହରା, ଭାଲୁପଡା, ବିଜମରା, ସରଧାପୁର, ସିନାପଡା, ତେଲିଗୁଡ଼ା, ତିର୍ଥତ୍ଆପଡା, ଚଞ୍ଚରାପଡା, ମାଲପଡା କଲୋନୀପଡା, ଗଡରାମାଲ, ନୂଆପଡ଼ା, ପାଣିଗଁା, ନୂଆପଡା, କାଦୋମାଲି, ଗାଇବନ୍ଧା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରି ପାଖରେ ଥିବାସ୍କୁଲରେ ମିଶ୍ରଣ କରାଯିବ ବୋଲି କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ବି.ଆଇ.ସି ତୋଫାନ ମାଝି ସୂଚନା ଦେଇଛନ୍ତି। ଉପାନ୍ତ ଅଞ୍ଚଳରେ ପଢୁଥିବା ପିଲାଙ୍କ ଭବିଷ୍ୟତ କ’ଣ ହେବ ତାହା ସମୟ ହିଁ କହିବ ।