ଖଣି ପରେ ବିଜୁଳି ବନ୍ଦ, ଅସୁବିଧାରେ ଲୋକେ

ଯୋଡ଼ା,୩ା୧(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ଅନ୍ତର୍ଗତ ଗୁରୁଡ଼ା ବେଣୁଆପାଣି କ୍ୟାମ୍ପ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିିତ ହୋଇଥିବା ଅଭିେଯୋଗ କରିଛନ୍ତି।
ଉକ୍ତ ଗ୍ରାମରେ ପ୍ରାୟ ୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଗ୍ରାମବାସୀ ଏକ ଖଣି କମ୍ପାନୀ ଅଧୀନରେ କାର୍ଯ୍ୟ କରିବା ସହ ଉକ୍ତ କମ୍ପାନୀ ପକ୍ଷରୁ ନିର୍ମିତ ଘରଗୁଡ଼ିକରେ ରହି ଆସୁଛନ୍ତି। ଖଣି କମ୍ପାନୀର ଲିଜ୍‌ ଅବଧି ଶେଷ ହେବା ପରେ ଉକ୍ତ ଶ୍ରମିକ ଓ କର୍ମଚାରୀମାନେ ନିଜେଘରଗୁଡ଼ିକୁ ମରାମତି କରି ରହୁଛନ୍ତି। ବିଦ୍ୟୁତ୍‌ ସଂଯୋଗ ଥିଲେ ମଧ୍ୟ ଗତ ନଭେମ୍ବର ୨୩ ତାରିଖରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ନୋଟିସ ଜାରି କରାଯାଇ ବିଦ୍ୟୁତ୍‌ କାଟ୍‌ କରାଯାଇଥିବା ଗ୍ରାମର ମୁନାଜିର ଆଲାମ, ହରିହର ନାଏକ, ବିଦ୍ୟାଧର ମହାକୁଡ଼, ଟିଟୁନ କୁଅଁର, ଲବ୍ଲ୍ୟୁ ସିଂ, ରମାକାନ୍ତ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଗ୍ରାମର ମହିଳା କୌଶଲ୍ୟା ମହାନ୍ତ, ସବିତା ଖାୟାର, ଅନୁପମା ନାଏକ ପ୍ରମୁଖ ସେମାନଙ୍କପ୍ରତିକ୍ରିୟାରେ କହିଛନ୍ତିି ଯେ,ବିଦ୍ୟୁତ୍‌କାଟ ଯୋଗୁ ସେମାନେ ଅନ୍ଧାରରେ ରହିବା ସହିତ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ପିଲାମାନେ ରାତି ସମୟରେ ପାଠ ପଢ଼ିପାରୁ ନାହାନ୍ତି। ଗ୍ରାମ ଚାରିପଟେ ଖଣି ଓ ଜଙ୍ଗଲ ରହିଥିବାରୁ ହାତୀଭୟ ରହୁଛି। ଭୟରେ ଗ୍ରାମବାସୀ ନିଅଁା ଜଳାଇ ରାତି ଉଜାଗର ରହୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ। ଚମ୍ପୁଆ ବିଧାୟିକାଙ୍କୁ ମଧ୍ୟ ଏ ନେଇ ସେମାନେ ଜଣାଇଥିବା କହିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଓଡ଼ିଶା ଖଣି ନିଗମ ସିଏସ୍‌ଆର ଅଧିକାରୀ ନୂତନ ରାଉତଙ୍କୁ ପଚାରିବାରୁ ଏ ବାବଦରେ ସେ ଅବଗତ ନାହାନ୍ତି ବୋଲି କହିଛନ୍ତି।