ମା’ଙ୍କ ମୃତ୍ୟୁ ପରେ ଶିଶୁକନ୍ୟାଙ୍କୁ ବିକ୍ରି

କୋରାପୁଟ ,୧୨ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରୁ ଶୁକ୍ରବାର ଏକ ଶିଶୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଶିଶୁକନ୍ୟାଙ୍କ ବାପା କହିଛନ୍ତି ଯେ, ତାଙ୍କ ଝିଅକୁ ବିକ୍ରି କରିଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଏକ ଘଟଣା ହସ୍ପିଟାଲର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଥାନାରେ ମାମଲା (୪୨/୨୧) ରୁଜୁ ହୋଇଛି। ଶିଶୁକନ୍ୟା ଗାଏବ୍‌ ଘଟଣାର ପ୍ରକୃତ ରହସ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି।
ଖବରରୁ ଜଣାଯାଇଛି, ନବରଙ୍ଗପୁର ପାପଡାହାଣ୍ଡି ଅଞ୍ଚଳର ଡମ୍ବୁ ସିଂ ଗୌଡ ତାଙ୍କ ସ୍ତ୍ରୀଙ୍କ ପ୍ରସବ ନେଇ ୯ ତାରିଖରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ମେଡିକାଲରେ ସେହିଦିନ ତାଙ୍କର ଏକ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିଲା । ମାତ୍ର ଶିଶୁ କନ୍ୟା ଜନ୍ମ ପରେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଡମ୍ବୁ ନିଜ ନବଜାତ ଶିଶୁକୁ ମେଡିକାଲ ଆଇସିୟୁରେ ଛାଡି ସ୍ତ୍ରୀଙ୍କ ମୃତଦେହ ଧରି ସତ୍କାର ପାଇଁ ଗ୍ରାମକୁ ଚାଲିଯାଇଥିଲେ। ଶୁକ୍ରବାର ତାଙ୍କ ନବଜାତ ଶିଶୁ କନ୍ୟାର ଅବସ୍ଥା କିପରି ଅଛି ଦେଖିବାକୁ କୋରାପୁଟ ମେଡିକାଲ କଲେଜ ଯାଇଥିଲେ। ମାତ୍ର ଆଇସିୟୁରେ ତାଙ୍କ ୩ ଦିନର ଶିଶୁ କନ୍ୟା ନ ଥିଲା। ଏନେଇ ସେ କୋରାପୁଟ ଟାଉନଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ଟାଉନଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପଟ୍ଟନାୟକ କହିଛନ୍ତି। ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ମେଡିକାଲରେ ପହଞ୍ଚି ଅଭିଯୋଗର ତଦନ୍ତ କରିଛନ୍ତି। ତଦନ୍ତ ବେଳେ ଡମ୍ବୁଙ୍କ ନବଜାତ ଶିଶୁ କନ୍ୟା ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ନେଇ କିଛି ଟୋକନ କରାଯାଇ ନ ଥିବା ଜାଣିବାକୁ ମିଳିଛି। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।