କଳାପଟି ହଟିଗଲା ପରେ

ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବେ ଆଉ ଅନ୍ଧ ନୁହେଁ କି କୌଣସି ହିଂସାର ପ୍ରତୀକ ତା’ପାଇଁ ଶୋଭନୀୟ ନୁହେଁ ବୋଲି ବିବେଚନାକରି ନିକଟରେ ଉଚ୍ଚତମ ନ୍ୟାୟାଳୟ ଇଂରେଜ ଅମଳରୁ ନ୍ୟାୟଦେବୀଙ୍କ ଆଖିରେ ବନ୍ଧାହୋଇଥିବା କଳାପଟିକୁ କାଢ଼ିନେବା ସହ ତାଙ୍କ ବାମହାତରେ ଖଣ୍ଡା ବଦଳରେ ଭାରତୀୟ ସମ୍ବିଧାନ ଧରାଇଛନ୍ତି। ଆଇନ ଆଖିରେ ସମସ୍ତେ ସମାନ ବୋଲି ଅଦାଲତରେ ହାଜର ହେଉଥିବା ବ୍ୟକ୍ତିଙ୍କ ଧନ, କ୍ଷମତା କିମ୍ବା କୌଣସି ସାମାଜିକ ସ୍ଥିତିକୁ ନ ଦେଖି ଅନ୍ୟାୟ ବିରୋଧରେ ଦଣ୍ଡାଦେଶ କ୍ଷମତାର କର୍ତ୍ତୃତ୍ୱକୁ ନ୍ୟାୟଦେବୀଙ୍କ ଅନ୍ଧପୁଟୁଳି ଓ ଖଡ୍‌ଗ ସୂଚିତ କରୁଥିଲେ। କିନ୍ତୁ ଏବେ ଖୋଲାଆଖି ଓ ହାତରେ ସମ୍ବିଧାନ ସହ ନ୍ୟାୟଦେବୀଙ୍କ ମୂର୍ତ୍ତିରେ ପରିବର୍ତ୍ତନକୁ ନେଇ କୁହାଯାଇଛି ଯେ, ଅହିଂସାକୁ ମୂଳମନ୍ତ୍ର କରି ଭାରତ ଇଂରେଜ ଶାସନ କବଳରୁ ଅନେକ ଦିନରୁ ମୁକ୍ତିଲାଭ କରିସାରିଥିଲାବେଳେ ୧୮୬୦/୬୧ରେ ଇଂଲଣ୍ଡ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଇଣ୍ଡିଆନ୍‌ ପେନାଲ କୋଡ୍‌, ଏଭିଡେନ୍ସ ଆକ୍ଟ ଓ ସିଆର୍‌ପିସିକୁ ଇଂରେଜ ଉପନିବେଶବାଦ୍‌ରୁ ମୁକ୍ତି ଦେଇ ଯେଭଳି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ସଂହିତା ଓ ନାଗରିକ ସୁରକ୍ଷା ସହିଂତାର ପ୍ରଚଳନ କରାଗଲା, ଠିକ୍‌ ସେହିଭଳି ନ୍ୟାୟଦେବୀଙ୍କ ମୂର୍ତ୍ତିରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ। ନ୍ୟାୟଦେବୀଙ୍କ ନୂତନ ଅବୟବର ଅନାବରଣ ଅବସରରେ ଭାରତୀୟ ନ୍ୟାୟ ବ୍ୟବସ୍ଥା କେତେ ସୁଧୁରିବ ଓ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ କେତେ ସହାୟକ ହେବ ଆଲୋଚନା ହେବା ଜରୁରୀ।
ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରିଡ୍‌ର ତଥ୍ୟାନୁଯାୟୀ, ୨୦୨୩ ଶେଷସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ପାଖାପାଖି ୪.୫ କୋଟି ଅମୀମାଂସିତ ଓ ବିଚାରାଧୀନ ମକଦ୍ଦମା ମଧ୍ୟରୁ କେବଳ ନିମ୍ନ ଅଦାଲତମାନଙ୍କରେ ଏହା ୮୭.୬%, ଯେଉଁଥିରୁ ଅନୂ୍ୟନ ୨୫% ପାଞ୍ଚବର୍ଷରୁ ଅଧିକ ସମୟଧରି ରାୟ ଅପେକ୍ଷାରେ। ସେହିଭଳି ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ବିଚାରାଧୀନ ୪୧% ମକଦ୍ଦମା ସମାନ ଅବସ୍ଥାରେ। ଏପରିକି କିଛି ମକଦ୍ଦମା ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ଅମୀମାଂସିତ ଅବସ୍ଥାରେ ପଡ଼ିରହିଛି। ଏ ବାବଦରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ବିହାର ଭଳି ଜନବହୁଳ ରାଜ୍ୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। କେବଳ ଉତ୍ତରପ୍ରଦେଶରେ ୧.୧ କୋଟିରୁ ଊର୍ଦ୍ଧ୍ୱ ମକଦ୍ଦମା ବିଚାରାଧୀନ। ବିଗତ ୫ ବର୍ଷ ମଧ୍ୟରେ ବିଚାରାଧୀନ ମକଦ୍ଦମାର ସଂଖ୍ୟା ଉଚ୍ଚତମ ନ୍ୟାୟାଳୟରେ ୩୫%, ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୩୩% ଓ ନିମ୍ନ ଅଦାଲତଗୁଡ଼ିକରେ ୩୮% ବୃଦ୍ଧିପାଇଛି। ଏତେ ପରିମାଣରେ ବାକିଆ ଓ ଅସମ୍ପୂର୍ଣ୍ଣ ମକଦ୍ଦମା ସହ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଏବଂ ସଂସାଧନର ଅଭାବ, ବ୍ୟବସ୍ଥାଗତ ଦୋଷତ୍ରୁଟି, ଢାଞ୍ଚାଗତ ଅବ୍ୟବସ୍ଥା, ପ୍ରକ୍ରିୟାଗତ ଦୁର୍ବଳତା, ସରକାରୀ ବାଧାବିଘ୍ନ ଓ ମକଦ୍ଦମାଗୁଡ଼ିକର ଜଟିଳତା ସହ ଗଦାଗଦା କେସ୍‌ ଫାଇଲ ଭିତରେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଯୋଗାଇଦେବା ପାଇଁ ଅଣନିଃଶ୍ବାସୀ ହୋଇପଡୁଥିବା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ନ୍ୟାୟଦେବୀଙ୍କ କାୟିକ ପରିବର୍ତ୍ତନ ଅନେକ ବିବାଦକୁ ଆମନ୍ତ୍ରଣ କରିଛି।
ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ବଡ଼ ଆହ୍ବାନ ହେଉଛି ଆବଶ୍ୟକ ସଂଖ୍ୟକ ବିଚାରପତିଙ୍କ ଅଭାବ। ତଥ୍ୟ ଅନୁସାରେ, ଫେବୃଆରୀ ୨୦୨୩ ସୁଦ୍ଧା ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୪୨% ବିଚାରପତି ପଦବୀ ଖାଲିଥିଲା। ଏ ବାବଦରେ ଦିଲ୍ଲୀ ଓ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଖାଲି ପଦବୀ ସଂଖ୍ୟା ୫୦%ରୁ ଅଧିକ। ସେହିଭଳି ନିମ୍ନ ଅଦାଲତଗୁଡ଼ିକରେ ଖାଲିଥିବା ବିଚାରପତିଙ୍କ ସଂଖ୍ୟା ଅନୂ୍ୟନ ୨୧%। ୧୯୮୭ରୁ ବିଧି ଆୟୋଗଙ୍କ ଅନୁମୋଦନ ମୁତାବକ ପ୍ରତି ଏକ ନିୟୁତ ଲୋକଙ୍କ ପାଇଁ ୫୦ଜଣ ବିଚାରପତିଙ୍କର ଆବଶ୍ୟକତା ଥିଲାବେଳେ ବର୍ତ୍ତମାନ ଭାରତରେ ତାହା ମାତ୍ର ୨୧, ଯାହା ଚାଇନା ଭଳି ରାଷ୍ଟ୍ରରେ ୧୫୯। ଏହି ଅନୁମୋଦନକୁ ଉଚ୍ଚତମ ନ୍ୟାୟାଳୟ ୨୦୦୧ରେ ଏବଂ ସଂସଦୀୟ ଷ୍ଟାଣ୍ଡିଂ କମିଟି ୨୦୦୨ରେ ଦୋହରାଇଥିଲେ ବି ବିଗତ ତିନି ଦଶନ୍ଧି ଭିତରେ ଜନସଂଖ୍ୟା ୧୪୦ କୋଟି ଅତିକ୍ରମ କରିବା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ଅଦ୍ୟାବଧି କୌଣସି ପଦକ୍ଷେପ ନ ନେବା ପରିତାପର ବିଷୟ। ତେଣୁ କଳାପଟି ହଟିଗଲା ପରେ ନ୍ୟାୟଦେବୀଙ୍କ ଦୃଷ୍ଟି ପ୍ରଥମେ ଏହି ମୁଖ୍ୟ ସମସ୍ୟା ଉପରେ କେନ୍ଦ୍ରୀଭୂତ ହେବ ବୋଲି ଆଶା।
ଦ୍ୱିତୀୟତଃ, ମାନବ ସମ୍ବଳ, ସଂସାଧନ ଓ ଢାଞ୍ଚାଗତ ଅଭାବବୋଧ ନ୍ୟାୟ ବ୍ୟବସ୍ଥାର ପାରିବାପଣିଆ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରେ। ବିଧି ସେଣ୍ଟର ଫର୍‌ ଲିଗାଲ ପଲିସିର ସୂଚନା ମୁତାବକ, ଅନୂ୍ୟନ ୯୦% ଜିଲାସ୍ତରୀୟ ନ୍ୟାୟାଳୟଗୁଡ଼ିକରେ ସର୍ବନିମ୍ନ ସୁବିଧାସୁଯୋଗ ଉପଲବ୍ଧ ନୁହେଁ। ବିଚାରାଳୟଗୁଡ଼ିକରେ ଘୋର ସ୍ଥାନାଭାବ, ଡିଜିଟାଲ ଟେକ୍ନୋଲୋଜି ସହ କର୍ମଚାରୀଙ୍କ ଅଭାବ ବିଚାରାଧୀନ ମକଦ୍ଦମାଗୁଡ଼ିକର ସଂଖ୍ୟାବୃଦ୍ଧିରେ ସହାୟକ ହେଉଛି। ସରକାରଙ୍କ ଦ୍ୱାରା ୨୦୦୭ରୁ ପ୍ରଚଳିତ ଇ-କୋର୍ଟ ଯୋଜନା ଏଯାଏ ଠିକ୍‌ଭାବରେ, ବିଶେଷକରି ଗ୍ରାମାଞ୍ଚଳ କୋର୍ଟଗୁଡ଼ିକରେ କାର୍ଯ୍ୟକାରୀ ହୋଇପାରିନାହିଁ। ଗ୍ରାମାଞ୍ଚଳରେ ସୀମିତ ଇଣ୍ଟରନେଟ୍‌ ଓ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ସଂରଚନାର ଅଭାବ ଯୋଗୁ ନିମ୍ନ ଅଦାଲତଗୁଡ଼ିକ ଇ-ଫାଇଲିଂ, ଅନ୍‌ଲାଇନ ପେମେଣ୍ଟ, ଭିଡିଓ କନ୍‌ଫରେନ୍ସିଂ ଭଳି ସୁବିଧା ଉପଲବ୍ଧ କରେଇବାରୁ ବଞ୍ଚତ୍ତ। ଆଜିର ଡିଜିଟାଲ ଦୁନିଆରେ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ କଳାପଟି ହଟିଗଲା ପରେ ଏସବୁ ଅସୁବିଧାଗୁଡ଼ିକ ଉପରେ ନ୍ୟାୟଦେବୀଙ୍କ ଦୃଷ୍ଟି ପଡ଼ିବା ଜରୁରୀ।
ତୃତୀୟରେ, ପରିଚାଳନା ଓ ପ୍ରକ୍ରିୟାଗତ ଦୋଷତ୍ରୁଟି ନ୍ୟାୟିକ ବ୍ୟବସ୍ଥାରେ ଅନ୍ୟ ଏକ ଦୁର୍ବଳତା। ତଥ୍ୟ ଅନୁସାରେ ଉଚ୍ଚତମ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ବର୍ଷରେ ପାଖାପାଖି ୧୯୩ ଦିନ କାର୍ଯ୍ୟ କରୁଥିଲାବେଳେ ଉଚ୍ଚ ନ୍ୟାୟାଳୟଗୁଡ଼ିକ ୨୧୦ ଦିନ ଓ ଟ୍ରାଏଲ କୋର୍ଟଗୁଡ଼ିକ ୨୪୫ ଦିନ କାର୍ଯ୍ୟ କରିଥାନ୍ତି। ସପ୍ତାହ ସପ୍ତାହ ଧରି ଲମ୍ବାଛୁଟି ସହ ବାରମ୍ବାର ମୁଲତବୀ ଓ ଶୁଣାଣି ତାରିଖରେ ପରିବର୍ତ୍ତନ ବିଳମ୍ବିତ ନ୍ୟାୟ ପ୍ରଦାନକୁ ବେଶି ଖୋରାକ ଯୋଗାଉଛି। ଏହି ପରିପ୍ରେକ୍ଷୀରେ ୫ ନଭେମ୍ବର ୨୦୨୪ରେ ସୁପ୍ରିମ୍‌କୋର୍ଟ (ଦ୍ୱିତୀୟ ସଂଶୋଧନ)ରୁଲ୍ସ, ୨୦୨୪ର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସୁପ୍ରିମ୍‌କୋର୍ଟରେ ପାରମ୍ପରିକ ଭାବେ ଚାଲିଆସିଥିବା ଅବକାଶକାଳୀନ ଖରାଛୁଟି ଏଣିକି ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟଦିବସ’ ରୂପେ ପରିଚିତ ହେବା ଏବଂ ପ୍ରତ୍ୟେକ ରବିବାରକୁ ଛାଡ଼ି ୯୫ ଦିନରୁ ଅଧିକ ଛୁଟି ଦିଆ ନ ଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ବି ଦେଶର ପ୍ରତ୍ୟେକ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟଙ୍କ ଉପରୋକ୍ତ ନିୟମ ପରିସରଭୁକ୍ତ ହେଲେ ନ୍ୟାୟଦେବୀଙ୍କ ଅନ୍ଧପୁଟୁଳି ଖୋଲିବାର ଯଥାର୍ଥତା ପ୍ରତିପାଦିତ ହେବ।
ଚତୁର୍ଥରେ, ଆବଶ୍ୟକ ପ୍ରମାଣ ଯୋଗାଡ଼ ଓ ଉପସ୍ଥାପନାରେ ବାଧା, ସାକ୍ଷ୍ୟ ଗ୍ରହଣରେ ବିଳମ୍ବ, ଧାର୍ଯ୍ୟ ସମୟାନୁସାରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନରେ ଅସୁବିଧା, ଅପ୍ରଚଳିତ, ଜଟିଳ ଓ ଅସ୍ପଷ୍ଟ ଆଇନଗତ ପ୍ରକ୍ରିୟାମାନ ବିଳମ୍ବିତ ନ୍ୟାୟ ପ୍ରଦାନକୁ ଯେଭଳିଭାବେ ପ୍ରଭାବିତ କରୁଛି, ନ୍ୟାୟଦେବୀଙ୍କ ଖୋଲାଆଖି ସେସବୁ ସମସ୍ୟା ଉପରେ ଦୃଷ୍ଟିନିକ୍ଷେପ କରିବା ଜରୁରୀ। ଯାହା ଦେଖାଯାଏ, ଅର୍ଦ୍ଧାଧିକ ମକଦ୍ଦମାରେ ସରକାର ପକ୍ଷଭୁକ୍ତ ହୋଇଥାନ୍ତି ଏବଂ ସରକାରୀ କଳର କୁପରିଚାଳନା ବିଚାରାଧୀନ ମକଦ୍ଦମାର ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥାଏ। ବିଳମ୍ବିତ ନ୍ୟାୟ ବ୍ୟବସ୍ଥା ଯେ କେବଳ ବିଚାରବିଭାଗର ପାରିବାପଣିଆ ଉପରେ କୁଠାରାଘାତ କରି ଜନତାଙ୍କ ବିଶ୍ୱାସ ହରାଏ, ସେକଥା ନୁହେଁ ବରଂ ଉଭୟ ପକ୍ଷର ଆର୍ଥିକ ଓ ମାନସିକ ଅବସ୍ଥାକୁ କ୍ଷତି ପହଞ୍ଚାଏ। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବୁରୋର ତଥ୍ୟ ଅନୁସାରେ, ୨୦୨୦ ସୁଦ୍ଧା ଜେଲର ମୋଟ ବନ୍ଦୀଙ୍କ ମଧ୍ୟରୁ ୭୬% ହେଉଛନ୍ତି ବିଚାରାଧୀନ କଏଦୀ, ଯେଉଁମାନେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟାରେ ଅଯଥା ଶିକାର ହୋଇଥାନ୍ତି।
ଅଦାଲତ ଓ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି, ଖାଲିଥିବା ସମସ୍ତ ପଦବୀ ପୂରଣ, ନୂତନ ପଦବୀ ସୃଷ୍ଟି, ନ୍ୟାୟାଳୟଗୁଡ଼ିକର କାର୍ଯ୍ୟଦିବସ ବୃଦ୍ଧି, ଡିଜିଟାଲ ପଦକ୍ଷେପକୁ ତ୍ୱରାନ୍ବିତ କରି ଅଦାଲତଗୁଡ଼ିକରେ ଜନହିତ ପାଇଁ ମକଦ୍ଦମାଗୁଡ଼ିକର ଇ-ଫାଇଲିଂ, ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥା ଓ ଆଭାସୀ ଶୁଣାଣିର ବନ୍ଦୋବସ୍ତ ସହ ସର୍ବନିମ୍ନ ସୁବିଧାସୁଯୋଗ ଉପଲବ୍ଧ କରାଇବାକୁ ସରକାର ପ୍ରାଥମିକତା ଦେବା ଉଚିତ ହେବ। ସର୍ବୋପରି, ବିକଳ୍ପ ନ୍ୟାୟବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ଫାଷ୍ଟଟ୍ରାକ୍‌ କୋର୍ଟ, ଲୋକ ଅଦାଲତ, ଗ୍ରାମ୍ୟ ନ୍ୟାୟାଳୟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ଅଧିକ ଜରୁରୀ, ଯାହା ଅଦାଲତର ମକଦ୍ଦମା ସଂଖ୍ୟା ହ୍ରାସକରି ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହେବ। ନ୍ୟାୟଦେବୀଙ୍କ କାୟିକ ପରିବର୍ତ୍ତନ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଥିବା ଦୋଷଦୁର୍ବଳତାକୁ ଏକାକୀ ପରିବର୍ତ୍ତିତ କରିବା ଆଦୌ ସମ୍ଭବ ନୁହେଁ। ସମଗ୍ର ନ୍ୟାୟିକ ବ୍ୟବସ୍ଥାକୁ ପଙ୍ଗୁକରି ରଖିଥିବା ଉପରୋକ୍ତ ମୁଖ୍ୟ ସମସ୍ୟାଗୁଡ଼ିକର ସମାଧାନ ନ ହେଲେ ଅନ୍ଧପୁଟୁଳି ହଟିଗଲା ପରେ ବି ନ୍ୟାୟଦେବୀଙ୍କ ପ୍ରତିମୂର୍ତ୍ତି ବାମହାତରେ ସମ୍ବିଧାନକୁ ଧରି ଆଖିଖୋଲି କେବଳ ଜଳଜଳ ଚାହିଁଥିବେ ସିନା, ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷାଦେବାରେ ଅସଫଳ ରହିବେ ନିଶ୍ଚୟ।
ମୋ:୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri