ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରେ କରୋନାରେ ଚାଲିଗଲେ ପୁଅ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ୧୧ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ଏବେ ପୁଅଙ୍କର ଦେହାନ୍ତ ହୋଇଛି। ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୧ ଦିନରେ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ନେଇ ଏମ୍ସ ସୁପରିଟେଣ୍ଡେଣ୍ଟ୍‌ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ବାପ-ପୁଅ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ମେ ୯ ତାରିଖ ଅପରାହ୍ନରେ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଥିଲା । ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କର ମଧ୍ୟ ପରିଲୋକ ଘଟିଛି। ଡକାଡକି ହୋଇ ବାପ-ପୁଅ ପରପାରିକୁ ଚାଲିଯାଇଛନ୍ତି। ଏନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପ୍ରଶାନ୍ତ ପୂର୍ବତନ ରଣଜୀ ଖେଳାଳି ତଥା ବିସିସିଆଇର ମ୍ୟାଚ ରେଫରୀ ଥିଲେ। ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ୍‌ ଖେଳି ସେ ସୁନାମ ଅର୍ଜନ କରିଥିଲେ।