ଜାନୁଆରୀ ୧୫ ପରେ ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି, ଦୁହାଁଳିଆ ଗାଈ ଫେରାଇବାକୁ ଦୁଇଗୁଣା ଜରିମାନା

ଭୁବନେଶ୍ୱର, ୧୦।୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଘାରିଛି ବୁଲା ଗୋରୁ ଓ କୁକୁର ଚିନ୍ତା। ସୋମବାର ବିଏମସି ସମେତ ସମଗ୍ର ରାଜ୍ୟରେ କୁକୁର ବନ୍ଧ୍ୟାକରଣକୁ ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ସେହିପରି କେମିତି ସହରକୁ ଗୋରୁମୁକ୍ତ କରିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ସଚେତନ ଏବଂ ଚେତାବନୀ ପରେ ଏବେ ପୁରା ଆକ୍ସନ ମୁଡ୍‌କୁ ଆସିଛି ବିଏମ୍‌ସି। ଜାନୁଆରୀ ୧୫ ପରେ ଯଦି କୌଣସି ଗୋରୁ ଅର୍ଥାତ୍‌ ଗାଈ, ଷଣ୍ଢ, ମଇଁଷି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳେ ତେବେ ବିଏମ୍‌ସି ତାହାକୁ ସିଧା ଉଠାଇ ନେବ। ଏନେଇ ବିଏମ୍‌ସି ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଥରେ ଗୋରୁ ଧରିବା ପରେ ତାହାକୁ ଆଉ ସମ୍ପୃକ୍ତ ମାଲିକଙ୍କୁ ଫେରାଯିବ ନାହିଁ।

ତେବେ କେବଳ ଦୁହାଁଳିଆ ଗାଈଙ୍କ କ୍ଷେତ୍ରରେ ନିୟମକୁ କିଛିଟା କୋହଳ କରାଯିବ। ଏଥିପାଇଁ ଗାଈ ମାଲିକଙ୍କୁ ବିଏମ୍‌ସିକୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ବିଏମ୍‌ସି ବିଭିନ୍ନ ଏଜେନ୍ସି ଦ୍ୱାରା ରାସ୍ତାରୁ ଗୋରୁ ଉଠାଉଥିବାବେଳେ ଏଥିପାଇଁ ପ୍ରତି ଗୋରୁ ପିଛା ଏଜେନ୍ସିକୁ ୨୨୮୬ଟଙ୍କା ଦେବାକୁ ପଡୁଛି। ସେହିପରି ଗୋଶାଳାରେ ରଖି ସେମାନଙ୍କ ଖାଇବା ପିଇବା ସେବା ବାବଦରେ ଦିନକୁ ୨ଶହ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଯେଉଁମାନେ ସେମାନଙ୍କର ଦୁହାଁଳିଆ ଗାଈକୁ ବିଏମସି ଠାରୁ ନେବାକୁ ଚାହିଁବେ ସେମାନେ ବିଏମ୍‌ସି ଖର୍ଚ୍ଚ କରିଥିବା ଟଙ୍କାର ଦୁଇଗୁଣା ପଇଠ କରିବା ପରେ ହିଁ ଗାଈକୁ ନେଇ ପାରିବେ।