ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ରବିବାର ସାରା ଦେଶବାସୀଙ୍କ ପାଇଁ ରହିଥିଲା। ଏହା ଶୁଣିବାକୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବୁଥ୍ରେ ଆୟୋଜନ ଓ ବ୍ୟବସ୍ଥା କରାଯାଇଥିଲା। ଏହି କ୍ରମରେ ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତ କୁମ୍ଭାରସାହିରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାଜପା ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (କନ୍ଧମାଳ )ର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ର ଉଦ୍ଦେଶ୍ୟ ଓ ଏହା ମାଧ୍ୟମରେ ଲୋକ ଏକାଠି ହୋଇ ଗାଁର ସମସ୍ୟା ଓ ସମାଧାନ ପାଇଁ ଆଲୋଚନାର ଫାଇଦା ସମ୍ପର୍କରେ କହିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଭାଜପାର ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ ଯୋଗଦେଇ ମନ କି ବାତ୍ ଶୁଣିବା ସହ ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ପ୍ରକାଶ ଯେ, ପ୍ରଧାନମନ୍ତ୍ରୀଙ୍କ ଏହା ୧୩୫ ତମ ମନ କି ବାତ୍ ରହିଥିବା ବେଳେ ରାଜ୍ୟରେ ଭାଜପା ସରକାର ଶାସନ କରିବା ଠାରୁ ଏହି ମନ କି ବାତ୍ କାର୍ଯ୍ୟକ୍ରମକୁ ଗାଁ ଗାଁରେ ଲୋକଙ୍କୁ ଶୁଣିବାକୁ ବ୍ୟବସ୍ଥା କରାଯାଉଛି।ଏହା ଦ୍ୱାରା ଗାଁରୁ ଲୋକ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେବା ସହ ପ୍ରଧାନମନ୍ତ୍ରୀଙ୍କ ଅନୁଭୂତି ଓ ଭାବନା ଲୋକଙ୍କ ନିକଟରେ ପହଞ୍ଚି ପାରୁଥିବା ଓ ଲୋକଙ୍କୁ ଏହା ଅଧିକ ପ୍ରଭାବିତ କରୁଥିବା ଜଣାପଡ଼ିଛି। ପ୍ରତ୍ୟେକ ମାସର ଶେଷ ରବିବାରକୁ ମନ କି ବାତ୍ ଶୁଣିବାକୁ ଲୋକ ଉତ୍ସାହର ସହ ଅପେକ୍ଷା କରୁଥିବା ଜଣାପଡ଼ିଛି।
ମନ୍ କି ବାତ୍ ଶୁଣିବା ପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (କନ୍ଧମାଳ)ର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ କୁମ୍ଭାରସାହି ବାସିନ୍ଦାଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଶୁଣିଥିଲେ ପରେ ସେ ଉକ୍ତ ସାହିର ପାଇପ୍ ଯୋଗେ ପାଣି ଯୋଗାଣ ପାଇଁ ପାଇପ ବିଛାଯାଇଥିଲେ ମଧ୍ୟ ପାଇପରେ ପାଣି ଯୋଗାଣ ହେଉ ନ ଥିବା ଶୁଣି ତାକୁ ପରିଦର୍ଶନ କରିବା ସହ ଅଙ୍ଗନଓ୍ବାଡି କେନ୍ଦ୍ରରେ ପହଞ୍ଚି ତା’ର ଏକାଧିକ ସମସ୍ୟା ତଥା ପିଇବାପାଣି, କେନ୍ଦ୍ରକୁ ରାସ୍ତା ନ ଥିବାରୁ ତାକୁ ବୁଲି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସାହିରେ ଗୋଟିଏ ମାତ୍ର ନଳକୂପ ରହିଥିବାରୁ ଆଉ ନଳକୂପ ଖନନ ପାଇଁ ପ୍ରୟାସ କରାଯିବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକାଧିକ ହିତାଧିକାରୀ ତାଙ୍କ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ ମଧ୍ୟ ହୋଇଥିଲା।