ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି। ଏହାକୁ ନେଇ ଖୁସି ପ୍ରକାଶ କରି ଅରିନ୍ଦମ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଯେତେବେଳେ ଆସିଥିଲି, ଦଳ ପାଇଁ କାମ କରିବାକୁ ଆସିଥିଲି। ଓଡ଼ିଶାବାସୀଙ୍କ ପାଇଁ କାମ କରିବାକୁ ଆସିଥିଲି। ମୋର ଟିକେଟ ପାଇବାର ଲାଳସା ନ ଥିଲା। ହେଲେ ଭାଜପା ମୋ’ ଉପରେ ବିଶ୍ୱାସ ଦେଖାଇଛି। ସାଲେପୁର ଯାଇ ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି। ନିଶ୍ଚିତ ଭାବେ ମୁଁ କାମ କରିବି। ପ୍ରତ୍ୟେକଟି ଲୋକଙ୍କୁ ଚିହ୍ନିବି। ଏତିକି ପ୍ରତିଶ୍ରୁତି ଦେଉଛି ମୋତେ ଯେତେବେଳେ, ଯେଉଁ ସମୟରେ ଖୋଜିବେ ତାଙ୍କ ପାଖରେ ନିଶ୍ଚିତ ପାଇବେ। ପ୍ରଥମେ ଲୋକମାନଙ୍କୁ ଭେଟି ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ’ଣ କାମ କରିବି ତାହା ନିଷ୍ପତ୍ତି ନେବି। ହାତରେ କମ୍‌ ସମୟ ରହିଛି। ହେଲେ ଏବେ ଭାଜପା ଲହର ରହିଛି। ସାଲେପୁରବାସୀ ବିଜେଡି ଗଡ଼କୁ ଭାଙ୍ଗିବେ। ଏଥର ଭାଜପା ହିଁ ଉଭୟ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।