Categories: ରାଜ୍ୟ

ଯୁକ୍ତିତର୍କରୁ ଭୁଜାଲି ଚୋଟ

କେନ୍ଦୁଝର, ୨୬ା୬: ସାମାନ୍ୟ ବଚସାରୁ ସ୍ବାମୀଙ୍କ ଭୁଜାଲି ଚୋଟରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ। କେନ୍ଦୁଝର ସଦର ଥାନା ଅଧୀନ ହାଣ୍ଡିଭଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଘଟିଛି ଏଭଳି ଘଟଣା। ମୃତକ ମହିଳାଙ୍କ ନାମ ସରସ୍ବତୀ ବାରିକ। ଅଭିଯୁକ୍ତ ସ୍ବାମୀ ଜିତେଶ ବାରିକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ା

ଜିତେଶ ସ୍ଥାନୀୟ ଆମୁଣୀ ଗ୍ରାମ ଛକରେ ସେଲୁନ କରି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ପ୍ରେମ ବିବାହ ହୋଇଥିଲା। ପୂର୍ବରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। କିଛି ଦିନ ପୂର୍ବେ ସରସ୍ବତୀ ଜଂଘିରାସ୍ଥିତ ବାପଘରକୁ ଚାଲିଯାଇଥିଲେ। ଗତ ଗୁରୁବାର ସ୍ତ୍ରୀଙ୍କୁ ବୁଝାଶୁଝା କରି ଜିତେଶ ଘରକୁ ଆଣିଥିଲେ। ଶନିବାର ପୁଣି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଜିତେଶ ଉତ୍ତ୍ୟକ୍ତ ହୋଇ ଏକ ଭୁଜାଲିରେ ସରସ୍ବତୀଙ୍କୁ ହାଣି ପକାଇଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପରିବାର ଲୋକେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।