ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ, ରେବ, ସାଳନ୍ଦୀ ଆଦି ବିଭିନ୍ନ ନଦୀ ବନ୍ୟା ଲାଗି ରହିଛି। ଲଗାତାର ଭାବେ ଧାମନଗର ଅଞ୍ଚଳରେ ୪ ଥର ବନ୍ୟା ଆସିବା ଫଳରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସହ ଧନଜୀବନ, କୃଷି, ଘରଦ୍ୱାର, ରାସ୍ତାଘାଟ ଓ ନଦୀବନ୍ଧ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ଏପରିକି ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ରାସ୍ତାଘାଟ ଓ ଗାଁଗଣ୍ଡା ବନ୍ୟାଜଳରେ ବୁଡ଼ି ରହିଛି।
ଗତ ୧୪ ତାରିଖରେ ବନ୍ୟା ଆସିଥିବା ବେଳେ ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ବାଲିପାଟଣା (୧୦ ନମ୍ବର ୱାର୍ଡ) ଗ୍ରାମର ପ୍ରଭାକର ବେହେରାଙ୍କ ପୁଅ ସୁନନ୍ଦ ବେହେରା ଓରଫ ବାହୁଆ (୪୦) କୌଣସି କାରଣବଶତଃ ବନ୍ୟାଜଳରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଓ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା।
ମଙ୍ଗଳବାର ପୂର୍ବାହ୍ନରେ ନିଜ ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଏକ ତାଳଗଛକୁ ସାହାରା କରି ସେ ଆଶ୍ରୟ ନେଇ ରହିଥିବା ଖବର ମିଳିଥିଲା। ତୁରନ୍ତ ଖବର ପାଇ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା।
ଦୀର୍ଘ ୫ ଦିନ ଧରି ବନ୍ୟାଜଳ ମଧ୍ୟରେ ତାଳଗଛକୁ ଆଶ୍ରୟ କରି ରହିଥିବାରୁ ସୁନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।