Categories: ଜାତୀୟ

ପିତାଙ୍କ ଅନ୍ତେ ଝିଅଙ୍କୁ ବି ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି, ହାଇକୋର୍ଟଙ୍କ ରାୟ…

ଜୟପୁର, ୧୯।୧ : ପରିବାରରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ସେମାନେ ବିବାହ କରିଥାନ୍ତୁ ଅବା ଅବିବାହିତ ରହିଥାନ୍ତୁ, ସେମାନଙ୍କର ଅଧିକାର ପିତାଙ୍କ ସମ୍ପତ୍ତି ଉପରେ ରହିବ। ଜଣେ ମୃତ ବ୍ୟକ୍ତିଙ୍କ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ମାମଲାର ବିଚାର କରି ରାଜସ୍ଥାନ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।

ବିଚାରପତି ଡ.ପୁଷ୍ପେନ୍ଦ୍ର ସିଂ ଭାଟିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପରିବାରରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ଏହା ଦ୍ୱାରା ଅନୁଚ୍ଛେଦ ୧୪,୧୫ ଏବଂ ୧୬ର ଉଲ୍ଲଂଘନ ହୋଇଥାଏ।

ବାହାଘର ପରେ ଝିଅ ବାପଘର ନୁହେଁ ସ୍ବାମୀଙ୍କ ଘରର ଅଂଶୀଦାର ବୋଲି ଚିନ୍ତା କରାଯିବା ଏକ ପୁରୁଣା ମାନସିକ ଦୃଷ୍ଟିକୋଣ। ପିତାଙ୍କ ସମସ୍ତ ସମ୍ପତ୍ତି ଉପରେ ବିବାହିତା ଝିଅଙ୍କର ମଧ୍ୟ ଅଧିକାର ରହିଛି। ତେଣୁ ପିତାଙ୍କ ଅନ୍ତେ ଝିଅଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଯୋଧପୁର ବିଦ୍ୟୁତ୍‌୍‌ ସଞ୍ଚାରଣ ନିଗମ ଲିମିଟେଡ୍‌ରେ ଲାଇନମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ୨୦୧୬ ନଭେମ୍ବର ୫ରେ ଡ୍ୟୁଟିରେ ମୃତ୍ୟୁ ଘଟିଥିଲା। ପରିବାରରେ ସ୍ତ୍ରୀ ଶାନ୍ତି ଦେବୀ ଏବଂ ବିବାହିତା ଝିଅ ରହିଛନ୍ତି। ଏପରିସ୍ଥଳେ ପିତାଙ୍କ ସ୍ଥାନରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବିବାହିତା ଝିଅ ଆବେଦନ କରିଥିଲେ। ମାତ୍ର ଏହାର ପ୍ରତ୍ୟାଖାନ କରାଯାଇଥିଲା। ବିବାହିତା ଝିଅ ଆଶ୍ରିତ ଶ୍ରେଣୀଭୁକ୍ତ ହେବେ ନାହିଁ ବୋଲି ନିଗମ ପକ୍ଷରୁ କୁହାଯାଇଥିଲା। ଝିଅ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ଏହାର ବିଚାର କରି କହିଥିଲେ ଯେ, ମାତାପିତାଙ୍କ ବୃଦ୍ଧାବସ୍ଥାରେ ଭରଣପୋଷଣ ଦାୟିତ୍ୱ ଉଭୟ ଝିଅ ଏବଂ ପୁଅଙ୍କର। ସେ କ୍ଷେତ୍ରରେ ବିବାହିତ ଅବା ଅବିବାହିତ ଝିଅ ପୁଅ ଉଭୟ ମାତା ପିତାଙ୍କ ଲାଗି ଉତ୍ତରଦାୟୀ। ତେଣୁ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କୌଣସି ଭେଦଭାବ କରାଯାଇ ପାରିବ ନାହିଁ। ଏହା ସମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ଏହା ସହିତ ହାଇକୋର୍ଟ ଝିଅଙ୍କୁ ନିଯୁକ୍ତି ଦେବାକୁ ନିଗମକୁ ନିିର୍ଦ୍ଦେଶ ଜାରି କରିଛନ୍ତି।

Share