କରୋନାକୁ ହରାଇ ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଏହି ଯୋଦ୍ଧା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୯।୭ : କର୍ତ୍ତବ୍ୟ ଆଗରେ ସବୁ କିଛି ହାର ମାନିଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଣପୁରର ଜଣେ ଯୋଦ୍ଧାଙ୍କ କ୍ଷେତ୍ରରେ। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବ୍ରହ୍ମପୁରରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣ ସେଠୀ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁକ୍ରବାର ଟୁଇଟ୍‌କରି ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶ ଯେ, ବିଭୂତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ସଙ୍ଗେ ସଙ୍ଗେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ବ୍ରହ୍ମପୁର ଏସ୍‌ପି ଟୁଇଟ୍‌କରି ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍‌ପିଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରାଯାଇ ସେଠୀଙ୍କୁ ପ୍ରଶଂସା କରାଯାଇଛି।
ଏହି କରୋନା ଯୋଦ୍ଧା ପୂର୍ବରୁ ମଧ୍ୟ ନିଜର ବିବାହକୁ ସ୍ଥଗିତ ରଖି ପ୍ରଶଂସା ସାଉଣ୍ଟିଥିଲେ। ବିଭୂତିଙ୍କ ଘର
ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ବାଲେଡିହ ଗ୍ରାମରେ। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ତାଙ୍କର ବିବାହ ଆୟୋଜନ ହୋଇଥିଲା । କିନ୍ତୁ ଲୋକଙ୍କ ସେବା ଓ କର୍ତ୍ତବ୍ୟ ପାଇଁ ବିଭୂତି ବିବାହ ବାତିଲ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।