ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ ଅଫିସ,୧ା୧୧: ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ କଲେ ଯୁବକ। ଏଥିରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏଭଳି ଘଟଣା କଟକ ଜିଲା ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀଠାରେ ମଙ୍ଗଳବାର ଦେଖିବାକୁ ମିଳିଛି। ତେବେ ଗୁରୁତର ଛାତ୍ରୀଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମହୀଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ନେଇ ଛାତ୍ରୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ପ୍ରତାପନଗରୀ ଅଞ୍ଚଳର ସତ୍ୟରଞ୍ଜନ ବେହେରା ଏକତରଫା ଭାବେ ସମ୍ପୃକ୍ତା ଛାତ୍ରୀଙ୍କୁ ଭଲ ପାଉଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲେ। ହେଲେ ଛାତ୍ରୀ ଜଣଙ୍କ ଏଥିରେ ରାଜି ନ ହେବାରୁ ସେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ। ଛାତ୍ରୀ ଜଣଙ୍କ ଏକ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ପ୍ରତାପନଗରୀଠାରେ ବସ୍‌ରୁ ଓହ୍ଲାଇଥିଲେ। ପରେ ଚାଲି ଚାଲି ତାଙ୍କ ଘରକୁ ଯାଉଥିବା ସମୟରେ ସତ୍ୟରଞ୍ଜନ ଏକ ବୁଲେଟ୍‌ରେ ଆସି ପହଞ୍ଚିବା ସହ ତାଙ୍କୁ ଟଣାଓଟରା କରିଥିଲେ। ଛାତ୍ରୀଜଣଙ୍କ ଏହାର ପ୍ରତିବାଦ କରିବାରୁ ସେ ପାଖରେ ରଖିଥିବା ଏକ ଧାରୁଆ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସମ୍ପୃକ୍ତା ଛାତ୍ରୀ ଅନୁସୂଚୀତ ଜାତିର ହୋଇଥିବାରୁ ଆକ୍ରମଣ କରିବାବେଳେ ସେ ତାଙ୍କୁ ଜାତିଆଣ ଆକ୍ଷେପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଛାତ୍ରୀ ଯନ୍ତ୍ରଣାରେ ଚିତ୍କାର କରୁଥିବାବେଳେ ସତ୍ୟରଞ୍ଜନ ଗାଡ଼ି ନେଇ ଖସି ପଳାଇଥିଲେ।

ଏ ନେଇ ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ।