Categories: ଖେଳ

ଦୀର୍ଘଦିନ ପରେ ସ୍ତ୍ରୀ ସାନିଆଙ୍କୁ ଭେଟିଲେ ସୋଏବ

ନୂଆଦିଲ୍ଲୀ, ୯।୯: ପାକିସ୍ତାନ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ସୋଏବ ମଲିକ ତାଙ୍କ ସ୍ତ୍ରୀ ତଥା ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ଭେଟିବା ପାଇଁ ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଦୀର୍ଘ ଦିନର ବ୍ୟବଧାନରେ ଉଭୟ ଦୁବାଇରେ ପରସ୍ପରକୁ ଭେଟିଥିଲେ। ବାସ୍ତବରେ କରୋନ ଭାଇରସ୍‌ ଓ ଲକ୍‌ ଡାଉନ୍‌ କାରଣରୁ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧନ ଲାଗିଥିଲା। ଯେଉଁଥି ପାଇଁ ସାନିଆ ଓ ସୋଏବ ପରସ୍ପରକୁ ଭେଟିବାରେ ଅସମର୍ଥ ହୋଇଥିଲେ।
ଜୁଲାଇ ମାସରେ ସାନିଆ ଓ ପୁଅ ଇଜ୍‌ହାନଙ୍କୁ ଭେଟିବାକୁ ସୋଏବ ଯୋଜନା କରିଥିଲେ। କିନ୍ତୁ ଏହା ସମ୍ଭବପର ହୋଇପାରି ନ ଥିଲା। ପରିବାରକୁ ଭେଟିବା ଲାଗି ସୋଏବ ପାକିସ୍ତାନ କ୍ରିକେଟ୍‌ ବୋର୍ଡଠାରୁ ଅନୁମତି ନେଇଥିଲେ। ଯେଉଁଥି ପାଇଁ ସେ ଇଂଲଣ୍ଡ ଗସ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନ ଦଳ ସହ ସାମିଲ ହୋଇପାରି ନ ଥିଲେ। ଫଳରେ ବାଧ୍ୟ ହୋଇ ଶେଷରେ ସୋଏବ ସ୍ତ୍ରୀ ଓ ପୁଅକୁ ସାକ୍ଷାତ୍‌ ନ କରି ଇଂଲଣ୍ଡ ଗସ୍ତ କରିଥିଲେ। ଦୁବାଇରେ ଶେଷରେ ସୋଏବ ତାଙ୍କ ପରିବାରକୁ ଭେଟିବା ନେଇ ସାନିଆଙ୍କ ବାପା ଇମରାନ ମିର୍ଜା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଇଜହାନ ମିର୍ଜା ମଲିକ ତାଙ୍କ ବାପା ମା’ଙ୍କ ସହ ସମୟ ଅତିବାହିତ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ସାନିଆ ପୁଅ ଇଜହାନଙ୍କୁ ନେଇ ୟୁଏଇ ଗସ୍ତ କରିଥିଲେ। ଯେଉଁଠାରେ ପୂର୍ବରୁ ସୋଏବ ମଲିକ ଉପସ୍ଥିତ ଥିଲେ।

Share