୨୨ ବର୍ଷ ପରେ ମା’ କୋଳକୁ ଫେରିଲେ ପୁଅ, ଗୁଗ୍‌ଲରେ ଲୋକେସନ ସର୍ଚ୍ଚ କରି ପହଞ୍ଚିଲେ ଗାଁରେ

ମାଲକାନଗିରି,୧୩ା୧୦(ଡି.ଏନ୍‌.ଏ.): ସଂସାରରେ ମା’ ଠାରୁ ବଡ଼ କେହି ନାହିଁ। ଯିଏ ଯେତେ ବଡ଼ ହେଉ ନା କାହିଁକି ମା’ କଥା ମନେ ପଡ଼ିଲେ କେହି ଅଟକାଇ ପାରିବେ ନାହିଁ। ସବୁ ବାଧାବିଘ୍ନକୁ ଏଡ଼ାଇ ନିଶ୍ଚିତ ଜଣେ ପୁଅ ଆସି ମା’ ପାଖରେ ପହଞ୍ଚିବ। ଏବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ।

ସଦର ବ୍ଲକ ତମସା ପଞ୍ଚାୟତ ଅନ୍ତର୍ଗତ ଏମ୍‌.ଭି. ୧୩ ଗ୍ରାମ ନିବାସୀ କାଳିତାରା ସରକାରଙ୍କ ବଡ଼ପୁଅ ନିରଞ୍ଜନ ଦୀର୍ଘ ୨୨ ବର୍ଷ ପୂର୍ବେ ଟଙ୍କା ରୋଜଗାର ନିମନ୍ତେ ନିଜ ଗାଁ ଛାଡ଼ି ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ। ସେହି ସମୟରେ ନିରଞ୍ଜନଙ୍କ ବୟସ ୧୭ରୁ ୧୮ ବର୍ଷ ମଧ୍ୟରେ ଥିଲା। ତେବେ ସେ ଆନ୍ଧ୍ରକୁ ଗଲା ପରେ ସେଠାରେ ନିଖୋଜ ହୋଇ ଯାଇଥିଲେ। ପରେ ସେ କୌଣସି ଏକ ଟ୍ରେନ୍‌ରେ ବସି ମୁମ୍ବାଇରେ ପହଞ୍ଚିଥିଲେ। ଭଗବାନଙ୍କ ଦୟାରୁ ମୁମ୍ବାଇରେ ତାଙ୍କୁ ଚଳିବାକୁ କାମ ମିଳିଲା ରହିବାକୁ ଘର ମିଳିଲା।  ବାସ୍‌ ସେହିଦିନଠାରୁ ସେ ନିଜ କାମରେ ବ୍ୟସ୍ତ ହୋଇପଡ଼ିଲେ। ଧିରେ ଧିରେ ନିଜ ଗ୍ରାମ, ନିଜ ମା’, ଭାଇ ସବୁ ଭୁଲିଗଲେ। ଏହା ମଧ୍ୟରେ ସେଠାରେ ତାଙ୍କର ବିବାହ ମଧ୍ୟ ହେଲା। ତାଙ୍କର ଏକ ଝିଅ ମଧ୍ୟ ଅଛନ୍ତି। ବର୍ତ୍ତମାନ ନିରଞ୍ଜନଙ୍କ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ଏପରି ଦୀର୍ଘ ୨୨ ବର୍ଷ ବିତିଗଲା। ପରେ ତାଙ୍କୁ ପୁଣି ମନେ ପଡ଼ିଲା ନିଜର ଗାଁ, ମା, ଭାଇଙ୍କ କଥା। ସେ କେଉଁ ଗ୍ରାମରୁ ଆସିଥିଲେ କେମିତି ଆସିଥିଲେ ସେ ସବୁ ବିଷୟ ଭୁଲି ଯାଇଥିଲେ। ଯଦି ବା ତାଙ୍କର କିଛି ମନଥିଲା ସେ କେବଳ ମାଲକାନଗିରିରୁ ଆସିଥିବା ବିଷୟ  ଝିଅଙ୍କୁ କହିଥିଲେ। ଏହି ଆଧାରରେ ଝିଅ ଗୁଗ୍‌ଲରେ ଲୋକେସନ ସର୍ଚ୍ଚ  କରିଥିଲେ। ଏହି ଆଧାରରେ ବାପା ଝିଅ ଦୁହେଁ ମୁମ୍ବାଇରୁ ବାହାରି ବିଶାଖାପାଟଣା ପରେ ମାଲକାନଗିରି ଆସି ପହଞ୍ଚିଥିଲେ। ସେଠାରୁ ସେମାନେ ଏମ୍‌.ଭି. ୧୩ ଗ୍ରାମକୁ ଗଲାପରେ ନିରଞ୍ଜନଙ୍କ ଭାଇ ସତ୍ୟରଞ୍ଜନ ଆଧାର କାର୍ଡରେ ତାଙ୍କ ପିତାଙ୍କ ନାମ, ଠିକଣା ବିଷୟରେ ବଡ଼ଭାଇକୁ ପଚାରିବାରୁ ସେ ସଠିକ୍‌ ଉତ୍ତର ଦେବା ପରେ ସତ୍ୟରଞ୍ଜନ ଜାଣିପାରିଲେ ଯେ, ସେ ହେଉଛି ତାଙ୍କର ବଡ଼ଭାଇ। କିନ୍ତୁ ମା’ର ଆଖି କେବେ ଧୋକା ଖାଇବ ନାହିଁ। ମା କାଳିତାରା ବଡ଼ପୁଅ ନିରଞ୍ଜନଙ୍କୁ ଦେଖିବା ମାତ୍ରେ ଚିହ୍ନିଦେଲେ। ସେ ପୁଅକୁ ଦେଖି କାନ୍ଦି ପକାଇଲେ। ପୁଅକୁ କୋଳେଇ ନେଇ ଖୁସିରେ ବିଭୋର ହୋଇପଡ଼ିଲେ। ଏତେ ବର୍ଷ ପରେ ପୁଅକୁ ଦେଖି ପରିବାର ଏବଂ ଗ୍ରାମବାସୀ ବହୁତ ଖୁସି ହୋଇଛନ୍ତି।