ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ରେ
ଖୋଲିଥିଲା। ଦୀର୍ଘ ୧୬ ବର୍ଷ ପରେ ଚଳିତ ଶିକ୍ଷାବର୍ଷଠାରୁ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯାୟରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ମେରିଟ୍ ତାଲିକା ଅନୁସାରେ ପ୍ରାଥମିକତା ଦିଆଯାଇଛି। ତେଣୁ ଶନିବାର ସୁଦ୍ଧା ଅଧାରୁ ଅଧିକ ସିଟ୍ରେ ଛାତ୍ରୀଛାତ୍ର ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନରେ ନାମ ଲେଖାଇଲେଣି । ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସିର ଖବର। ଯଦି କିଛି ସିଟ୍ ବଳକା ରହେ ତେବେ ନୀତି ନିୟମ ଅନୁସାରେ ଅନ୍ୟ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନାମ ଲେଖା ପାଇଁ ସୁଯୋଗ ମିଳିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ତଥା ବିଦ୍ୟାଳୟ ଚେୟାରମ୍ୟାନ ଉମାଶଙ୍କର ବେହେରାଙ୍କ ଆଗ୍ରହ ଏବଂ ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ପ୍ରଚେଷ୍ଟାରେ ଏଠାରେ ଯୁକ୍ତ ୨ ଖୋଲିପାରିଛି। ପୂର୍ବରୁ ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ମାଟ୍ରିକ୍ ଛାତ୍ରୀଛାତ୍ର ଅନ୍ୟ ସହରରେ ପାଠ ପଢ଼ୁଥିଲେ। ଫଳରେ ଅଭିଭାବକମାନେ ଖର୍ଚ୍ଚାନ୍ତ ହେଉଥିଲେ। ଏଣିକି ଏହି ସମସ୍ୟା ଚଳିତ ବର୍ଷ ଠାରୁ ଦୂରେଇ ଯାଇଛି। ଯାହାକୁ ନେଇ ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ଖୁସିବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିଛି। ବିଦ୍ୟାଳୟ ଖୋଲିବାର ୧୬ ବର୍ଷ ପରେ ଇତିମଧ୍ୟରେ ସ୍ଥାୟୀ କୋଠା ନିର୍ମାଣ ପାଇଁ ୩୩ କୋଟି ୧୦ ଲକ୍ଷ ଅନୁମୋଦନ ହୋଇଥିଲା। କିନ୍ତୁ ସେଠାରେ ଆଉ ୩ ଟି ଅଧିକ ଶ୍ରେଣୀ ଖୋଲିବା ପାଇଁ ନକ୍ସାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତେଣୁ ଅନୁମୋଦନ ଅର୍ଥ ଆଉ କିଛି କୋଟି ମଧ୍ୟ ବଢ଼ିବ। ଇତିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦିଲ୍ଲୀ ପକ୍ଷରୁ ଯୁକ୍ତ ୨ ପାଇଁ ୭ ଜଣ ପିଜିଟି ଶିକ୍ଷକ ପଦବୀକୁ ଅନୁମୋଦନ ଦେଇଛନ୍ତି। ଖୁବ୍ଶୀଘ୍ର ଉକ୍ତ ନୂତନ ଶିକ୍ଷକମାନେ କାର୍ଯ୍ୟରେ ଯୋଗଦେବେ। ସେଗୁଡ଼ିକ ହେଲା (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ଇଂରାଜୀ ଓ ହିନ୍ଦୀ)। ଅପରପକ୍ଷେ ସ୍ଥାୟୀ କୋଠା ନିର୍ମାଣ ହେବାକୁ ୨ ବର୍ଷ ଲାଗିଯିବ। ଏହା ପୂର୍ବରୁ ବର୍ତ୍ତମାନର ବିଦ୍ୟାଳୟର ଅସ୍ଥାୟୀ କୋଠାର ମରାମତି ପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ଯାଇଛି। ଉକ୍ତ ଅର୍ଥ ଅନୁମୋଦନ ହେଲେ ତାହାର ମରାମତି କାରାଯିବ।