Categories: ଖେଳ

ଆଫଗାନିସ୍ତାନର ଅଭିଯାନ ଶେଷ: ଷଷ୍ଠରେ ରହି ସନ୍ତୁଷ୍ଟ

ଅହମଦାବାଦ, ୧୧।୧୧ ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ୩ ଥର ବିପର୍ଯ୍ୟୟ ଘଟାଇ ଟିପ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହେଉଥିବା ଆଫଗାନିସ୍ତାନ ୯ ମ୍ୟାଚରୁ ୫ମ ପରାଜୟ ସହ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ଅନ୍ୟପକ୍ଷେ ବିଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି ଦକ୍ଷିଣ ଆଫ୍ରିକା। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନ ୫୦ ଓଭରରେ ୨୪୪ ରନ୍‌ କରି ଅଲ୍‌ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୭.୩ ଓଭରରେ ୫ ଉଇକେଟ ହରାଇ ୨୪୭ ରନ ସଂଗ୍ରହ କରି ନେଇଥିଲା। ଅପରାଜିତ ୭୬ ରନ୍‌ର ଇନିଂସ ପାଇଁ ଦକ୍ଷିଣ ଆଫ୍ରିକାର ରସି ଭାନ୍‌ ଡର୍‌ ଡୁସେନ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ପୂର୍ବ ମ୍ୟାଚରେ ଭାରତଠାରୁ ହାରିଥିବା ଦକ୍ଷିଣ ଆଫ୍ରିକା ଏଠାରେ ବିଜୟ ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ପୂର୍ବରୁ ମନୋବଳ ଦୃଢ଼ କରିଛି। ଏହି ଦଳ ୯ ମ୍ୟାଚରୁ ୭ ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ଓପନିଂ ଯୋଡ଼ିରେ ୪୧ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ ବଡ଼ ସ୍କୋର କରିପାରି ନ ଥିଲା। ଆଜମତୁଲ୍ଲା ଓମାରଜାଇ ଶେଷ ପର୍ଯ୍ୟନ୍ତ ଏକାକୀ ଲଢ଼େଇ କରି ଅପରାଜିତ ରହିଥିଲେ। ତାଙ୍କୁ ବାଦ୍‌ ଦେଲେ ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରି ନ ପାରିବାରୁ ଦଳ ଅଲ୍‌ଆଉଟ ହୋଇ ଯାଇଥିଲା। ରହମଦ ଶାହା ଓ ନୁର ଅହମଦ ୨୬ ରନ ଲେଖାଏ ଏବଂ ଓପନର ରମାନତୁଲ୍ଲା ଗୁରବାଜ ୨୫ ରନ କରିବାକୁ ସକ୍ଷମ ହୋଇଥିଲେ। ୧୦୭ ବଲ୍‌ର ସମ୍ମୁଖୀନ ହୋଇଥିବା ଓମାରଜାଇ ୭ ଚୌକା ଓ ୩ ଛକା ସହାୟତାରେ ୯୭ ରନରେ ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ବୋଲରଙ୍କ ମଧ୍ୟରେ ଗେରାଲ୍ଡ କୋଜି ସର୍ବାଧିକ ୪ଟି, କେଶବ ମହାରାଜ ଓ ଲୁନ୍‌ଗି ଏନଗିଡ଼ି ୨ଟି ଲେଖାଏ ଏବଂ ଆଣ୍ଡିଲେ ଫେଲୁକ୍ୱାୟୋ ଗୋଟିଏ ଉଇକେଟ ନେଇଥିଲେ।

ଆଫଗାନିସ୍ତାନ ପରି ଦକ୍ଷିଣ ଆଫ୍ରିକା ଓପନିଂ ଯୋଡ଼ିରେ ୬୪ ରନ୍‌ ଯୋଗକରି ଭଲ ଆରମ୍ଭ କରିଥିଲା। ମାତ୍ର ୨ ରନ ବ୍ୟବଧାନରେ ୨ଟି ଉଇକେଟ ପତନ ଏବଂ ମଧ୍ୟଭାଗରେ ଏଡେନ ମାରକ୍ରମ (୨୫), ହେନରିଚ୍‌ କ୍ଲାସେନ (୧୦) ଓ ଡେଭିଡ ମିଲର (୨୪)ଙ୍କ ବିଫଳତା ଯୋଗୁ ବିପଦ ମଧ୍ୟକୁ ଚାଲି ଆସିଥିଲା। ମାତ୍ର ରସି ଭାନ୍‌ ଡର୍‌ ଡୁସେନଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଏବଂ ଶେଷଭାଗରେ ଆଣ୍ଡିଲେ ଫେଲୁକ୍ୱାୟୋଙ୍କ ଉପଯୋଗୀ ୩୯ (୩୭ ବଲ, ୧ ଚୌକା, ୩ ଛକା) ରନ ଦଳକୁ ବିଜୟୀ କରିଥିଲା।

Share