Odisha Elections 2024
Posted inଫୁରସତ

ଆଈତୋଟା

ଜଗତ ଠାକୁର ଦାରୁଦିଅଁ । ଭାଇ ଭଉଣୀଙ୍କୁ ସାଥୀରେ ଧରି ଏବେ ଆବିର୍ଭାବ ସ୍ଥଳରେ ବିରାଜିତ। ସେବକ, ଶ୍ରଦ୍ଧାଳୁଙ୍କ ସମାବେଶରେ ମୁଖରିତ ସୁନ୍ଦରାଚଳ। କାଳିଆ ସାଆନ୍ତଙ୍କ ଜନ୍ମ/ଆବିର୍ଭାବ ସ୍ଥଳ, ଜନ୍ମବେଦି, ଆଟୋପ ମଣ୍ଡପ /ଆଡ଼ମ୍ବର ମଣ୍ଡପ ବା ଲୋକମୁଖରେ ପ୍ରଚାରିତ ଆଡ଼ପ ମଣ୍ଡପ ବା
ଆଜିର ଗୁଣ୍ଡିଚାବାଡ଼ି ଏବେ ସମସ୍ତଙ୍କ ଆକର୍ଷଣର
ସ୍ଥଳ। ଏହି ପବିତ୍ରସ୍ଥଳ ସହ ଆଈତୋଟାକୁ
ନେଇ ରହିଛି ଭାବର ଗାଥା….

 

ଆଈତୋଟା: ବଦଳିଛି ରୂପରେଖ
ଆଇତୋଟା ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ସିଦ୍ଧେଶ୍ୱର ମହାପାତ୍ର କୁହନ୍ତି, ଏକଦା ଗୁଣ୍ଡିଚା ମନ୍ଦିରର ବାମପାର୍ଶ୍ୱସ୍ଥିତ ତୋଟା ଆଈତୋଟା ଭାବେ ପରିଚିତ ଥିଲା। ବର୍ତ୍ତମାନ ତା’ର ରୂପରେଖ ବଦଳିଯାଇଛି। ସେହି ସ୍ଥାନରେ ଏବେ କେତେକ ମଠ, ଆଶ୍ରମ ସହିତ ବସ୍‌ଷ୍ଟାଣ୍ଡ ରହିଛି। ତେବେ ଚୈତନ୍ୟ ଚରିତାମୃତ ଅନୁଯାୟୀ ଗୁଣ୍ଡିଚା ମାର୍ଜନ ପରେ ଶ୍ରୀଚୈତନ୍ୟ ଓ ତାଙ୍କ ଅନୁଗାମୀମାନେ ଏହି ତୋଟାରେ ବଣଭୋଜି କରୁଥିଲେ। ଗୁଣ୍ଡିଚାଯାତ୍ରା ସମୟରେ ଏହି ତୋଟା ହେଲା ତାଙ୍କର ବିଶ୍ରାମସ୍ଥଳ। ଆଈଟୋଟା ଆସି ପ୍ରଭୁ ବିଶ୍ରାମ କରିଲ (ଚୈତନ୍ୟ ଚରିତାମୃତ ମଧ୍ୟ ପର୍ବ-୧୪) । ଏଠାରେ ଆଈ ଶବ୍ଦଟି ଆଜି ମାତାମହୀ ଅର୍ଥରେ ବ୍ୟବହୃତ ହେଉଅଛି। ଦିନେ ମାତା ନିମନ୍ତେ ବ୍ୟବହୃତ ହେଉଥିଲା।
୧-କାନ୍ଦନ୍ତି କୁମରେ ଯେ ଜନନୀ ମୁଖ ଚାହିଁ/ ଦିଅସି କ୍ଷୀର ପାନ ବ୍ରତିବୁ ଆମ୍ଭେ ଆଈ(ସାରଳା ମହାଭାରତ )।
୨-ଆମ୍ଭେ ତୋ ସୂତ ସଙ୍ଗେ ଥାଇ / ମଥୁରା ଦେଖିଲୁ ଗୋ ଆଈ
( ଭାଗବତ)।
୩-(ବଙ୍ଗଳା) ସତ୍ୱରେ ଆଇଲା ସଚ୍ଚି ଆଈ ଶାନ୍ତି ପୁରେ(ଚୈତନ୍ୟ୨ ଚରିତାମୃତ)। ଏହିଭଳି ଭାବେ ଆଈ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ।

ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା, ଏହାକୁ ବି କୁହାଯାଏ ‘ମାଧୁର୍ଯ୍ୟଭୂମିକୁ’ ଯାତ୍ରା। ଏ କଥା ବୈଷ୍ଣବୀୟ ପରମ୍ପରାରେ ଗ୍ରହଣୀୟ ହୁଏ। ଦାରୁଦିଅଁ ଉପାସିତ ଶ୍ରୀମନ୍ଦିର ନୀଳାଚଳ ଧାମରେ ଅବସ୍ଥିତ। ଯାହା ସର୍ବଜନ ବିଦିତ। ପୁଣି ଏହି ଧାମକୁ କୁହାଯାଏ ଐଶ୍ୱର୍ଯ୍ୟଧାମ। ଅପରପକ୍ଷେ ମାଧୁର୍ଯ୍ୟଧାମ ହେଉଛି ବ୍ରଜଧାମ। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ‘ଶ୍ରୀକୃଷ୍ଣ ଉପାସକମାନେ ଦାରୁଦିଅଁଙ୍କ ଆବିର୍ଭାବ ଧାମକୁ ବ୍ରଜଧାମ ଭାବେ ଗ୍ରହଣ କରନ୍ତି। ଆଉ ଏହି ଯାତ୍ରାହିଁ ଐଶ୍ୱର୍ଯ୍ୟଧାମରୁ ମାଧୁର୍ଯ୍ୟଧାମକୁ ଯାତ୍ରା ବୋଲି ସେମାନଙ୍କର ଆସ୍ଥା ଓ ବିଶ୍ୱାସ। ବ୍ରଜଧାମ ଭାରତୀୟ ପରମ୍ପରାରେ ସୁନ୍ଦରାଚଳ। ଏହି ଯାତ୍ରା ନୀଳାଚଳରୁ ସୁନ୍ଦରାଚଳକୁ ଯାତ୍ରା। ସୁନ୍ଦରାଚଳକୁ ଲାଗି ରହିଛି ଆଈତୋଟା। ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଆସିବା ପୂର୍ବରୁ ସୁନ୍ଦରାଚଳରେ ମାର୍ଜନା ନୀତି ହୁଏ। ମାର୍ଜନା କଲାବେଳେ ମାର୍ଜନାକାରୀମାନେ ଗୁଣୁଗୁଣୁ ହୋଇ ବୋଲନ୍ତି, ‘କାଲି ଆସିବେ ମୋ ପ୍ରାଣବନ୍ଧୁ..ଆଜି କୁଞ୍ଜ ସଜାଅ ଗୋ’। ପ୍ରକୃତି ଆକର୍ଷିତ କରୁଛି, ପୁରୁଷଙ୍କୁ ନୁହେଁ ଶ୍ରୀପୁରୁଷୋତ୍ତମଙ୍କୁ। ଏହି ମାର୍ଜନ ଗୀତର ଗୁଞ୍ଜରଣ ଶେଷ ହୁଏ ଆଈତୋଟାରେ। ଆଈ ହେଉଛନ୍ତି ବୈଷ୍ଣବମାନଙ୍କ ମଧ୍ୟରେ ‘ବୃନ୍ଦା’। ବ୍ରଜବାସୀଙ୍କ ପାଇଁ ଆଈର ଅର୍ଥ ମା। ମା’ର ତୋଟା ହିଁ ପବିତ୍ର ଆଈତୋଟା। ଜନ୍ମଭୂମିକୁ ମା’ର ତୋଟାଲାଗି ରହିବା ସ୍ବାଭାବିକ। ଦାରୁଦିଅଁଙ୍କ କେହି ମା’ ନଥିବା ବେଳେ ମା’ର କଳ୍ପନା କରାଯାଇଅଛି। ଅବଶ୍ୟ ଏହା ଭାବର କଥା।
ବାହୁଡ଼ାର ଏ୍ୟତିହ୍ୟ: ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁଦିଅଁଙ୍କ ପାଇଁ ମନ୍ଦିର ନିର୍ମାଣ କଲେ। ଏହା ପରେ ମନ୍ଦିର ପ୍ରତିଷ୍ଠା ବିଧି ସମାପ୍ତ କରାଇଥିଲେ। ସେତେବେଳେ ଆଡ଼ପ ମଣ୍ଡପରୁ ମହାପ୍ରଭୁଙ୍କୁ ରଥରେ ବସାଇ ପ୍ରଥମେ ଶ୍ରୀମନ୍ଦିରକୁ ଆଣିଥିଲେ। ତାହା ଥିଲା ଦାରୁଦିଅଁଙ୍କ ନୀଳାଚଳ ଯାତ୍ରା। ଏହି ଶାସ୍ତ୍ରୀୟ ପରମ୍ପରା ଏବେ ବି ଶ୍ରୀଜଗନ୍ନାଥ ଧାମର ପଞ୍ଚକୋଶୀଙ୍କ ମଧ୍ୟରେ ବଞ୍ଚତ୍ ରହିଛି। ଷୋଳ ଶାସନ ଓ ବତିଶ କରବାଡ଼ର ବ୍ରାହ୍ମଣମାନେ, କ୍ଷେତ୍ରରେ ବାସ କରୁଥିବା ଜାଣିବା ଶୁଣିବା ଲୋକେ ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରାୟତଃ ଭାଗ ନିଅନ୍ତି ନାହିଁ ବୋଲି ଶୁଣିବାକୁ ମିଳେ। ସେମାନେ ଦାରୁଦିଅଁ ଆଡ଼ପ ମଣ୍ଡପରେ ପହଞ୍ଚତ୍ବା ପରେ ସେଠାକୁ ଯାଇ ଦର୍ଶନ କରନ୍ତି। ଆଉ ତାଙ୍କର ନୀଳାଚଳକୁ ଆସିବା ବେଳେ ଅଂଶଗ୍ରହଣ କରିଥାନ୍ତି। ସ୍କନ୍ଦପୁରାଣ ବର୍ଣ୍ଣନା ଅନୁଯାୟୀ ଦାରୁଦିଅଁଙ୍କର ଉପାସନା ଧାମକୁ ଭୂସ୍ବର୍ଗ କୁହାଯାଏ,ତେଣୁ ଭୂସ୍ବର୍ଗକୁ ଗମନ କରିବା ବା ଯାତ୍ରା କରିବାର ବିଧିକୁ ଆମେ ବାହୁଡ଼ା ଯାତ୍ରା କହୁଛୁ। କାରଣ ସେ ଆମ ପାଖକୁ ବାହୁଡ଼ି ଆସୁଛନ୍ତି। ଆବିର୍ଭାବ ମଣ୍ଡପ ବା ଧାମକୁ ଯାତ୍ରା କରୁଥିବାରୁ ତାଙ୍କ ପାଇଁ ତାହା ବାହୁଡ଼ା ଯାତ୍ରା, ମାତ୍ର ମନୁଷ୍ୟଙ୍କ ମୁକ୍ତି ନିମନ୍ତେ ଉପାସନା କ୍ଷେତ୍ରକୁ ଫେରିଆସୁଥିବାରୁ ଏହା ହେଉଛି ଆମ ପାଇଁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା।
ସଦ୍‌ଭାବନାର ବାର୍ତ୍ତା: ଶାସ୍ତ୍ରରେ କୁହାଯାଇଛି ”ସୋଽହମ୍‌’। ଏହାର ଅର୍ଥ ହେଉଛି- ସେ ହିଁ ମୁଁ, ମୁଁ ହିଁ ସେ। ତୋ ଓ ମୋ ଭିତରେ କୌଣସି ପ୍ରଭେଦ ନାହିଁ। ଭାରତୀୟ ଦର୍ଶନରେ ଏହି ଗଭୀର ରହସ୍ୟକୁ ଦାରୁଦିଅଁ ରଥଯାତ୍ରାରେ ସାକାର କରାଉଛନ୍ତି। ଏଠାରେ ଦେହ ଓ ଦେହୀର କୌଣସି ଭେଦ ନାହିଁ। ଭାରତର କୌଣସି ମନ୍ଦିରରେ ମୂଳ ବିଗ୍ରହ ସିଂହାସନରୁ ଓହ୍ଲାଇ ଆସି ଭକ୍ତଙ୍କ ସହିତ ମିଶି ମାନବୀୟ ଲୀଳା କରିବାର ଦୃଷ୍ଟାନ୍ତ ବିରଳ, କିନ୍ତୁ ଦାରୁଦିଅଁ ସଗୁଣବ୍ରହ୍ମ ହେଲେ ମଧ୍ୟ ସାକାର ହୋଇ ଜୀବମାନଙ୍କର ମଙ୍ଗଳ ପାଇଁ ଏହି ଲୀଳା କରିଥାଆନ୍ତି। ସେଥିପାଇଁ ଏହାକୁ କୁହାଯାଏ ଶ୍ରୀପତିତପାବନ ଯାତ୍ରା। ଏଥିରେ ସମାଜକୁ ସେ ମୁଖ୍ୟତଃ ସଦ୍‌ଭାବନାର ବାର୍ତ୍ତା ଦେଇଥାଆନ୍ତି।
-ବୀରଭଦ୍ର ବିଶ୍ୱାଳ
ଫଟୋ: ଯଜ୍ଞେଶ୍ୱର ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri