ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଉଛି ଅଦିନିଆ ବର୍ଷା

ପଦ୍ମପୁର/ବନ୍ତ, ୧୫ା୧(ଡି.ଏନ.ଏ.) ଚଳିତବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷ ଆରମ୍ଭରେ ଅନିୟମିତତା ବର୍ଷା, ସାରର ଅଭାବୀ ବିକ୍ରି ପରେ ଲଘୁଚାପ ଜନିତ ବର୍ଷା ଏବଂ ଏବେ ଅମଳ ସମୟରେ କଟାଯାଇଥିବା ପାଚିଲା ଧାନ ବିଲରେ ଭିଜୁଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଭଦ୍ରକ ଜିଲା ବାସୁଦେବପୁର, ଭଦ୍ରକ ଓ ବନ୍ତ ବ୍ଲକର ବହୁ ପଞ୍ଚାୟତରେ ପାଚିଲା ଧାନ ଅଦିନିଆ ବର୍ଷାରେ ଭିଜୁଛି। ସେହିପରି ଅମଳ ଧାନ ସବୁ ଖଳାରେ ଭିଜୁଥିବା ଦେଖାଯାଇଛି। ବାସୁଦେବପୁର ବ୍ଲକର ପଦ୍ମପୁର, ଜଗନ୍ନାଥପ୍ରସାଦ, ଏଡ଼ତାଳ, ଲୁଙ୍ଗା, ଲକ୍ଷ୍ମୀଦାସପୁର, ରାଜଘରପୋଖରୀ, ଆନ୍ଦୋଳା, କରଞ୍ଜଆଡ଼ିଆ, ଭଦ୍ରକ ବ୍ଲକର ସାହାଡ଼ା, ଏରଡ଼ା, ଚଣ୍ଡିଗାଁ ପଞ୍ଚାୟତରେ ଅମଳ ହୋଇଥିବା ଓ କଟାଯାଇଥିବା ଧାନ ପାଣିରେ ଭିଜି ନଷ୍ଟ ହେଉଛି। ଅମଳ ହୋଇଥିବା ଧାନକୁ ଚାଷୀମାନେ ବିକ୍ରି କରି ପାରିନାହାନ୍ତି। ବିଭିନ୍ନ ସେବା ସମବାୟ ସମିତିରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀମାନେ ଟୋକନ ପାଇନାହାନ୍ତି। ଗତ ୩ ଦିନ ଧରି ଲଗାତର ବର୍ଷା ଫଳରେ ଧାନ ଭିଜି ଗଜାହେବାକୁ ବସିଛି। ଅଦିନିଆ ବର୍ଷା ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଉଛି।
ସେହିପରି ବନ୍ତ ବ୍ଲକ ନିଳୋକ, ପଧାନପଡ଼ା, ଶେଣ୍ଢତୀରା ସମେତ ବିିଭିନ୍ନ ପଞ୍ଚାୟତରେ ଏପରି ସମସ୍ୟା ଦେଖାଯାଇଛି। ପ୍ରତିବର୍ଷ ଡିସେମ୍ବର ୨୦ରୁ ୨୨ ମଧ୍ୟରେ ଫସଲ ଅମଳ ଶେଷ ହେଉଥିବା ବେଳେ ଏଥର ବିଳମ୍ବ ହୋଇଛି। ଚାଷୀମାନେ କିପରି ଫସଲ ଅମଳ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଶନିବାର ସୁଦ୍ଧା ବର୍ଷା କମିଲେ ଜମି ଶୁଖିବାକୁ ପ୍ରାୟ ୧୦ ଦିନ ଲାଗିବ। ସେତେବେଳକୁ ପାଚିଲା ଧାନ ସବୁ ନଷ୍ଟ ହୋଇଯାଇଥିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଓ ଜିଲା କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଫସଲ ବୀମା ପ୍ରଦାନ ସହ କୃଷି ଋଣ ଛାଡ଼ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରାଙ୍କୁ ପଚାରିବାରୁ କେତେକ ପଞ୍ଚାୟତରେ ଏପରି ସମସ୍ୟା ଦେଖାଯାଇଛି, ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।