ବ୍ୟକ୍ତିଗତ ଯୋଗାଯୋଗ କରିବାକୁ ଡାକପାଳଙ୍କୁ ପରାମର୍ଶ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ଓଡ଼ିଶା ଡାକ ପରିମଣ୍ଡଳ ଡାକଜୀବନ ବୀମା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଉପମଣ୍ଡଳ ପ୍ରବନ୍ଧକ ସର୍ବେଶ୍ୱର ମିଶ୍ର ଉଦ୍‌ଘାଟନ କରି ଡାକ ଜୀବନ ବୀମା ଓ ଗ୍ରାମୀଣ ଡାକ ଜୀବନ ବୀମା ସମ୍ପର୍କରେ ଓଡ଼ିଶାର ସମସ୍ତ ପ୍ରଧାନ /ମୁଖ୍ୟ ଡାକଘରର ବରିଷ୍ଠ ଡାକପାଳ ଓ ମୁଖ୍ୟ ଡାକପାଳଙ୍କ ସହ ଆଲୋଚନା କରିଥିଲେ। ସହାୟକ ଲେଖା ଅଧିକାରୀ (ଡାକ ଜୀବନ ବୀମା) ଡାକ ଜୀବନ ବୀମା କ୍ଷେତ୍ରରେ ସର୍ବାଧିକ ସଫଳତା ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ସହିତ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବାକୁ ଡାକପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ଜିଏସ୍‌ଟି ଆଦାୟ ଓ ପ୍ରଦାନ କ୍ଷେତ୍ରରେ ଆକାଉଣ୍ଟସ୍‌ରେ କିଭଳି ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଡାକ ଲେଖା କାର୍ଯ୍ୟାଳୟ, କଟକର ମନୋଜ କୁମାର ପଣ୍ଡା ଓ ଚିତ୍ରସେନ ପ୍ରଧାନ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନା କରିଥିଲେ। ପୋଷ୍ଟ ଅଫିସ ସଞ୍ଚୟ ଜମା ସମ୍ପର୍କରେ ସିବିଏସ୍‌ ସେଣ୍ଟ୍ରାଲ ପ୍ରୋସେସିଂ ସେଣ୍ଟରର ପରିଚାଳକ ମୃତ୍ୟୁଞ୍ଜୟ ହୋତା, ସହାୟକ ଲେଖା ଅଧିକାରୀ ପ୍ରକାଶ ଚନ୍ଦ୍ର ଦଳାଇ, ଦିଲୀପ କୁମାର ସେଠୀ, ଲେଖା ଅଧିକାରୀ ରାଧାକୃଷ୍ଣ ସାବତ, ଲିଙ୍ଗରାଜ ମେହେର ଓ ଜିଏସ୍‌ଟି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସହାୟକ ଲେଖା ଅଧିକାରୀ ଗଦାଧର ରଥ ଧନ୍ୟବାଦ ଦେଇଥିଲେ।