ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା ପିଟି ପୋଷ୍ଟର ଓ ବ୍ୟାନର ଲଗାଇ ବିଭିନ୍ନ ସଂସ୍ଥା ପ୍ରଚାରପ୍ରସାର କରୁଛନ୍ତି। ଏହାଦ୍ୱାରା ବୃକ୍ଷଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବାବେଳେ ଏଭଳି ଘଟଣା ରୋକିବାରେ ବନ ବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନ ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ବହୁ ପୁରୁଣା ଓ ବିଶାଳ ବୃକ୍ଷ ରହିଛି। ଏହି ବୃକ୍ଷଗୁଡ଼ିକୁ ବିଭିନ୍ନ ସଂସ୍ଥାର ବିଜ୍ଞାପନ ପ୍ରଦର୍ଶନ ପାଇଁ ବ୍ୟବହାର କରାଯାଉଛି। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବ୍ୟବସାୟିକ ଅନୁଷ୍ଠାନର ପ୍ରଚାର ପାଇଁ ଗଛରେ କଣ୍ଟା ପିଟି ପୋଷ୍ଟର ଓ ବ୍ୟାନର ଲଗାଯାଉଛି। ଫଳରେ ଗଛର ଛାଲ କ୍ଷତିଗ୍ରସ୍ତ ହେବା ସହ ସେଗୁଡ଼ିକର ସୁରକ୍ଷା ଓ ସ୍ୱାଭାବିକ ବୃଦ୍ଧି ପ୍ରତି ବିପଦ ସୃଷ୍ଟି ହେଉଛି।
ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ଓ ପରିବେଶବିତ୍ମାନେ ନିନ୍ଦା କରିବା ସହ ସମ୍ପୃକ୍ତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବୃକ୍ଷରେ କଣ୍ଟା ପିଟି ବିଜ୍ଞାପନ ଲଗାଇବା ଦ୍ୱାରା ପରିବେଶର କ୍ଷତି ହେଉଥିବାରୁ ଏହାକୁ ରୋକିବା ଦିଗରେ ବନ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
ଏ ସମ୍ପର୍କରେ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି, ଗଛରେ କଣ୍ଟା ପିଟି ପୋଷ୍ଟର ଓ ବ୍ୟାନର ଲଗାଇବା ଅନୁଚିତ। ବୃକ୍ଷଗୁଡ଼ିକର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିସହ ଗଛରେ ଲାଗିଥିବା ପୋଷ୍ଟର ଓ ବ୍ୟାନର ହଟାଇ ସେଗୁଡ଼ିକୁ କଣ୍ଟାମୁକ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏ ନେଇ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଗଛରେ କଣ୍ଟା ପିଟି ବିଜ୍ଞାପନ ଲଗାଇବା ଘଟଣା ବନ୍ଦ ହେଉନାହିଁ। ଏପରିକି ଜଙ୍ଗଲ ନଷ୍ଟ କରିବା ଭଳି ଘଟଣା ମଧ୍ୟ ଘଟୁଥିବା ଅଭିଯୋଗ ହେଉଛି। ତେଣୁ ଜଙ୍ଗଲ ଓ ଜାତୀୟ ରାଜପଥ କଡ଼ରେ ଥିବା ବିଶାଳ ବୃକ୍ଷଗୁଡ଼ିକର ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।