୪ବର୍ଷିଆ ୟୁଜି ପାଠ୍ୟକ୍ରମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପାଠ ପଢ଼ିବାକୁ ହେବ। ଏ ନେଇ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଘୋଷଣା କରାଯାଇଛି। ଜାତୀୟ ଶିକ୍ଷାନୀତି ଅନୁସାରେ ପୂର୍ବରୁ ୟୁଜିସି ଏ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିଲା। ସୋମବାର ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିସହିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଡିମ୍‌ଡ୍‌ ୟୁନିଭର୍ସିଟି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ସ୍ନାତକ ପାଇଁ ପ୍ରସ୍ତୁତ ହୋଇଥିବା କରିକୁଲମ ଆଣ୍ଡ୍‌ କ୍ରେଡିଟ୍‌ ଫ୍ରେମ୍‌ଓ୍ବର୍କକୁ ଲାଗୁ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି।
ଏହି ନୂତନ ନିୟମାନୁସାରେ,ଏଣିକି ୩ ବର୍ଷ ପରିବର୍ତ୍ତେ ୪ ବର୍ଷ ଅଣ୍ଡରଗ୍ରାଜୁଏଶନ (ୟୁଜି) ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରୀଛାତ୍ର ଅନର୍ସ ଡିଗ୍ରୀ ସାର୍ଟିଫିକେଟ ପାଇପାରିବେ। ତେବେ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍‌ ପାଇବା ପାଇଁ ପୂର୍ବପରି ତିନିବର୍ଷ ପଢ଼ିବାକୁ ପଡ଼ିବ। କିନ୍ତୁ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ରଖାଯାଇଛି। ସେହିଭଳି ଯେଉଁ ଛାତ୍ରୀଛାତ୍ର ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏଶନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ। ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ। ଯେଉଁମାନେ ଏବେ ସ୍ନାତକରେ ନାମ ଲେଖାଇ ସାରିଛନ୍ତି ଏକବର୍ଷ ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ବର୍ଷିକିଆ ସାର୍ଟିଫିକେଟ୍‌ ମିଳିବ। ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ୍‌ ଦିଆଯିବ। ତିନି ବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ଓ ୪ବର୍ଷିଆ ସ୍ନାତକ ଅନର୍ସ ଡିଗ୍ରୀଧାରୀଙ୍କ ଲାଗି ବର୍ଷିକିଆ ପିଜି ପାଠ୍ୟକ୍ରମ ରହିବ।