ବଜ୍ରପାତ ସମ୍ପର୍କିତ ସୂଚନା ଜିଲାପାଳଙ୍କୁ ଆଗୁଆ ଦିଅ: ଏସ୍‌ଆର୍‌ସି

ଭୁବନେଶ୍ବର,୧୦ା୪(ବ୍ୟୁରୋ): କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତର ମାତ୍ରା ବଢ଼ିଥିବା ଦେଖିବାକୁ ମିଳିଛି। ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଗଲାଣି। ଜନସାଧାରଣଙ୍କୁ ଏଭଳି ବିପତ୍ତି ସମ୍ବନ୍ଧରେ ଆଗୁଆ ସୂଚନା ଦେବା ସକାଶେ ସରକାରୀ ତତ୍ପରତା ପ୍ରକାଶ ପାଇଛି। ରବିବାର ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲାର ଜିଲାପାଳ ଓ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶକ ପ୍ରମୁଖ ଯୋଡ଼ି ହୋଇଥିଲେ। ଏବେ ବଜ୍ରପାତ, ବିଜୁଳି ଓ ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ମିଳିପାରୁଛି। ଏହି ସତର୍କ ସୂଚନା ସବୁ ଜିଲାପାଳଙ୍କୁ ଇମେଲ୍‌ ଓ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଅବଗତ କରାଇବା ଲାଗି ଏସ୍‌ଆର୍‌ସି ପାଣିପାଗ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ବିଭିନ୍ନ ଜିଲାରୁ ବଜ୍ରପାତଜନିତ ଦୁର୍ଘଟଣାର ଖବର ଆସୁଥିବାବେଳେ ସେନେଇ ସତର୍କ ସୂଚନା ପାଇବା ମାତ୍ରେ ତୁରନ୍ତ ଖବର ଦିଆଯିବା ଦରକାର। ଏନେଇ ସ୍ଥାନୀୟ ଏବଂ ସାମାଜିକ ଗଣମାଧ୍ୟମ, ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଅବଗତ ହୋଇପାରିଲେ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ। ତେଣୁ ଏନେଇ ଜିଲାପାଳଙ୍କୁ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଦେଖାଯାଉଛି ଯେ, ବଜ୍ରପାତ ପ୍ରାୟତଃ ଦିନ ୨ଟାରୁ ରାତି ୯ଟା ମଧ୍ୟରେ ସଂଘଟିତ ହେଉଛି। ମୁଖ୍ୟତଃ କୃଷକ, କୃଷି କାର୍ଯ୍ୟରେ ଜଡ଼ିତ ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବା ଲୋକମାନେ ବିଶେଷ ଭାବେ ଏହି ଦୁର୍ବିପାକର ଶିକାର ହେଉଛନ୍ତି। ଏହି ଅବସରରେ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ୱାସ କହିଛନ୍ତି, ଏଭଳି ଅବସ୍ଥା ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ବାହାରେ ରହୁଥିବା ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଖବରକାଗଜ ଏବଂ ଟେଲିଭିଜନ ମାଧ୍ୟମରେ ସତର୍କ ସୂଚନା ଜାରି କରାଯିବ। ବଜ୍ରପାତ ସମୟରେ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ସବୁ ଜିଲାପାଳଙ୍କ ମାଧ୍ୟମରେ ଏହାର ପ୍ରଚାରପ୍ରସାର କରାଯିବ ବୋଲି ସେ କହିଛନ୍ତି।