ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ ଏକାଧିକ ମାମଲାର ଶୁଣାଣି କରିଥିଲେ।

ପରେ ସେ ଅଚାନକ ଭଞ୍ଜନଗର ତହସିଲ କାର୍ଯ୍ୟାଳୟକୁ ଯାଇ କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରଶାସନିକ ବିଷୟରେ ସମୀକ୍ଷା କରିଥିଲେ। ଏଥିସହ ଲୋକମାନଙ୍କୁ ତ୍ୱରିତ ସରକାରୀ ସେବା ଯୋଗାଇବା ପାଇଁ ସେ ବିଭାଗୀୟ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।ଏହି ସମୟରେ ଉପଜିଲାପାଳ ଉମାଶଙ୍କର ବେହେରା, ସହକାରୀ ଉପଜିଲାପାଳ ପ୍ରଧାନ ଟୁଲିଆମା ଏବଂ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ଉପସ୍ଥିତ ଥିଲେ।ଭଞ୍ଜନଗରରେ ଏଡିଏମ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ ହେବା ପରେ ଏଠିକାର ଲୋକେ ଆଉ ଜମିଜମା ସମ୍ବନ୍ଧୀୟ ମାମଲା ପାଇଁ ବ୍ରହ୍ମପୁର କିମ୍ବା ଛତ୍ରପୁର ଯିବେ ନାହିଁ।

କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପରେ ଭଞ୍ଜନଗର ବାର ଆସୋସିଏସନ୍ ସଭାପତି ସନ୍ତୋଷ ନାୟକ, ସମ୍ପାଦକ ଧୀରେନ୍ କୁମାର ସ୍ୱାଇଁ, ଉପସଭାପତି ରଜତ ଦାସ, ବରିଷ୍ଠ ଆଇନଜିବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ତୋଷ ପାଳ ଓ ତ୍ରିନାଥ ମଳିକ ପ୍ରମୁଖ ଏଡିଏମଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ। ସେମାନେ ପ୍ରତି ମାସର ଶେଷ ସପ୍ତାହରେ ନିୟମିତ ଭାବେ କ୍ୟାମ୍ପ କୋର୍ଟ ଚାଲୁ ରଖିବାକୁ ମଧ୍ୟ ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବରୁ ଭଞ୍ଜନଗରରେ ଏଡିଏମଙ୍କ କ୍ୟାମ୍ପ କୋର୍ଟ ଚାଲୁଥିଲା, କିନ୍ତୁ ପରେ ଏହା ବନ୍ଦ ହୋଇଯାଇଥିଲା। ଗତବର୍ଷ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭଞ୍ଜନଗର ଗସ୍ତ ସମୟରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ବାର ଆସୋସିଏସନ୍ କର୍ମକର୍ତ୍ତାମାନେ ଏଠାରେ ପୁଣି କ୍ୟାମ୍ପ କୋର୍ଟ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।ମନ୍ତ୍ରୀ ସେତେବେଳେ କହିଥିଲେ ଯେ, ଭଞ୍ଜନଗରରୁ ଛତ୍ରପୁର ଦୂର ଥିବାରୁ ଏଠାରେ ସ୍ଥାୟୀ ଏଡିଏମ କୋର୍ଟ ଆବଶ୍ୟକ। ଏହାପରେ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ପରେ ବାର ଆସୋସିଏଶନ୍ ପକ୍ଷରୁ ଆର୍‌ଡିସିଙ୍କୁ ମଧ୍ୟ ଏହି ଦାବି ସମ୍ପର୍କରେ ଅବଗତ କରାଯାଇଥିଲା। ତାହାର ଫଳସ୍ୱରୂପ ଆର୍‌ଡିସିଙ୍କ ନିର୍ଦ୍ଦେଶକ୍ରମେ ପୁଣିଥରେ କ୍ୟାମ୍ପ କୋର୍ଟ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ଭଞ୍ଜନଗର ରାଜ୍ୟର ଏକ ବଡ଼ ରାଜସ୍ୱ ଉପଖଣ୍ଡ ହେଉଥିଲେ ମଧ୍ୟ ଏଯାଏଁ ଜିଲା ମାନ୍ୟତା ପାଇନାହିଁ। ଏଠାରୁ ଛତ୍ରପୁର ଜିଲା ସଦରକୁ ଯିବାକୁ ପ୍ରାୟ ୧୪୦ କିମି ଦୂରତା ଅତିକ୍ରମ କରିବାକୁ ପଡେ, ଯାହା ଲୋକମାନଙ୍କ ପାଇଁ ବହୁତ କଷ୍ଟକର। ତେଣୁ ଭଞ୍ଜନଗରକୁ ଜିଲା ଘୋଷଣା କରିବା ସହ ସ୍ଥାୟୀ ଏଡିଏମ ନିଯୁକ୍ତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି ଜୋର ଧରିଛି।

Dharitri – Odisha’s No.1 Odia Daily

Share