ମହାଲିଙ୍ଗ କଲେଜରେ ପ୍ରଶାସନିକ ଟିମ୍‌

ଭବାନୀପାଟଣା/ଗୋଲାମୁଣ୍ଡା,୧।୧୧(ସ୍ବ.ପ୍ର./ଡି.ଏନ୍‌.ଏ): ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୋମବାର ମହାଲିଙ୍ଗ କଲେଜରେ ପହଞ୍ଚତ୍ ତଦନ୍ତ କରିଛନ୍ତି ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ। ତାଙ୍କ ସହ ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ, ବିଇଓ ନବ ସାହୁ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସମୟରେ କଲେଜ ରହିଥିବା ସ୍ଥାନର ଜମି ମାପ କରାଯାଇଛି। କଲେଜର ସମସ୍ତ କାଗଜପତ୍ରକୁ ଟିକିନିଖି ଯାଞ୍ଚ କରିବା ସହ ଶିକ୍ଷୟିତ୍ରୀଙ୍କୁ ନେଇ ହଷ୍ଟେଲରେ ମଧ୍ୟ ତଦନ୍ତ କରିଥିଲେ। ଛାତ୍ରୀନିବାସ ତିଆରି ହୋଇଥିବା ଜମି କାହା ନାମରେ ରହିଛି ଓ କେବେ ଗୋବିନ୍ଦ ସାହୁ କାହାଠାରୁ କିଣିଲେ, ତାହା ତଦନ୍ତ କରିଥିଲେ। ସେହିପରି କୋଠା ପରିସର ସରକାରୀ ନା ବେସରକାରୀ ଜାଗାରେ ନିର୍ମାଣ ହୋଇଛି ତାହାର ତଦନ୍ତ କରି ମାପ କରାଯାଇଥିଲା।